ତୋ ବିନୁ ଅନ୍ୟ ଗତି ନାହିଁ ~ ଅଳକା ମହାନ୍ତି ~

To Binu Anya Gati Nahin by Alka Mohanty

—“ଈଶ୍ଵର ପ୍ରେମ ର ସାଗର, ଈଶ୍ଵର ଶାନ୍ତିର ସାଗର,ଈଶ୍ଵର ଦୟାର ସାଗର,ଈଶ୍ଵର ଶକ୍ତି ର ସାଗର। ସେ ମଧୁରତା ର ଭଣ୍ଡାର। ଯାହା ତାଙ୍କ ପାଖରେ ଅଛି,ସେ ଆମକୁ ଦେଉଛନ୍ତି ଆଉ ଯାହା ଆମ ପାଖରେ ଅଛି ,ଆମେ ଅନ୍ୟ କୁ ଦେଉଛୁ।ଆପଣ ମାନେ ମଧୁରତା ଦ୍ଵାରା ଏ କଠୋର ଧରଣୀ କୁ ମଧୁର କରିଦିଅନ୍ତୁ। ଈର୍ଷା ଆଉ ଶତ୍ରୁତା ଶୀତଳ ମନ କୁ ହଲଚଲ କରିଦିଏ। ଦୁଃଖ ଦେବା ଅର୍ଥ ଦୁଃଖ ନେବା। ନିଜର ମୁଁ ପଣିଆ ଛାଡ଼ ଆଉ ମାୟା ବିକାର ର ଅଧିନସ୍ଥ ହୁଅ ନାହିଁ। ପର ଧର୍ମ ଆଉ ପର ଦେଶ କେବଳ ଦୁଃଖ ହିଁ ଦେବ।ସର୍ବଦା ସୁଖୀ ରୁହ ଆଉ ଶାନ୍ତ ରୁହ। ଈଶ୍ୱର ଙ୍କ ପାଖରେ ସ୍ନେହ,ପ୍ରେମ,ଶାନ୍ତି,ସୁଖ ,ଦୟା,କ୍ଷମା ଆଉ ମଧୁରତା ଅଛି ବୋଲି ତ ସେ ଆମକୁ ଦେଇ ଚାଲିଛନ୍ତି। ସେମିତି ଆମେ ଦେବ ତୁଲ୍ୟ ହେଲେ ବା ସେ ସବୁ ଗୁଣ ର ଅଧିକାରୀ ହେଲେ ତ କାହାକୁ ଦେଇ ପାରିବା। ସହନ ଶକ୍ତି ଦ୍ଵାରା ଐଶ୍ୱରିକ ଶକ୍ତି ପ୍ରାପ୍ତି କରି ସମସ୍ତଙ୍କର ସ୍ନେହୀ ହୁଅ । ସର୍ବଦା ସୁଖୀ ରୁହ ଆଉ ଶାନ୍ତ ରୁହ”। ବୁଝିଲ !

ଏପରି ଅନର୍ଗଳ କହି ଚାଲିଥିଲେ ଇଶ୍ୱରୀୟ ସେବା କେନ୍ଦ୍ର ର ସେବିକା ଉଷା ଦିଦି। ତାଙ୍କ ସେବା କେନ୍ଦ୍ର କୁ ନିତ୍ୟ ପ୍ରତ୍ୟୁଷ ରୁ ଏହିପରି ଜ୍ଞାନ ଆହରଣ କରିବାକୁ ଲୋକଙ୍କ ଭିଡ଼ ଲାଗିଥାଏ ।ସେ ବି ଈଶ୍ବରଙ୍କ ନିମିତ୍ତ ହୋଇ ସମସ୍ତ ଙ୍କ ସେବା ,କାୟ ମନ ବାକ୍ୟ ରେ କରି ଚାଲିଥାନ୍ତି।ଆଜି ତାଙ୍କର ଟିଭି ବାଲା ଙ୍କ ସହିତ ଏକ ପ୍ରଶ୍ନୋତ୍ତର କାର୍ଯ୍ୟ କ୍ରମ ଅଛି। ସେଥିପାଇଁ ଗୋଟେ ରୁମ୍ ରେ ସୁଟିଙ୍ଗ ପାଇଁ ପ୍ରସ୍ତୁତି ଚାଲିଛି।ସକାଳୁ ଆସିଥିବା ସମସ୍ତ ଜିଜ୍ଞାସୁ ଙ୍କୁ ଜୀବନ ଯାପନ କରିବା ଶୈଳୀ କୁ ଏତେ ସାକାରାତ୍ମକ ଭାବରେ ବୁଝାଇ ଦିଅନ୍ତି ଯେ ଆସିଥିବା ସମସ୍ତ ଭାଇ ଭଉଣୀ କିଛି ଜ୍ଞାନ ସାଥିରେ ନେଇ କି ଯାଉଛନ୍ତି ବୋଲି ଅନୁଭବ କରନ୍ତି। ଆଜି ତାଙ୍କର ଅଲୌକିକ ଜନ୍ମ ଦିନ। ସେବା କେନ୍ଦ୍ର ଟି ଅନେକ ସୁଗନ୍ଧିତ ପୁଷ୍ପ ରେ ସଜାଇ ଛନ୍ତି କିଛି ମୁଗ୍ଧ ଆତ୍ମା ଭାଇ ଭଉଣୀ ମାନେ। ଦିଦି ଙ୍କ ଜନ୍ମ ଦିନ ପାଇଁ କିଛି ଭଉଣୀ ମିଶି କରିଛନ୍ତି ହାଲୁଆ ଆଉ ପୁରୀ ର ଭୋଗ ଆୟୋଜନ। ଏହି ତ ପ୍ରକୃତ ସ୍ନେହ। କିଛି ଆଶା , ପ୍ରତ୍ୟଶା ନାହିଁ ବରଂ ଅଛି ଚିର ଶାଶ୍ଵତ ପ୍ରେମ।
ଦିଦି ସଭାଗୃହ ରେ ବସିଥିଲେ,ଟିଭି ଆଙ୍କର , ସୁଟିଙ୍ଗ କ୍ରିଊ ଙ୍କ ସହିତ ସାମ୍ନା ରେ କିଛି ଶ୍ରଦ୍ଧାଳୁ ଭାଇ ଭଉଣୀ ବି ବସିଥିଲେ । ସୁଟିଙ୍ଗ ଆରମ୍ଭ ହେଲା। ଦିଦି ସମସ୍ତଙ୍କୁ ପ୍ରକୃତିସ୍ଥ ହେବାକୁ କହି ଦୁଇ ମିନିଟ ପରମାତ୍ମା ଙ୍କୁ ମନେ ପକାଇ ବାକୁ କହି ଟିକେ ଧ୍ୟାନସ୍ଥ ହୋଇ ଗଲେ। ତାପରେ ଆଙ୍କର ତାଙ୍କୁ ପ୍ରଶ୍ନ କଲେ।

— ଆପଣ ଏ ସେବାକେନ୍ଦ୍ର କେବେ ଠାରୁ ଚଳାଉ ଛନ୍ତି
— ଦୀର୍ଘ ୧୫ ବର୍ଷ ହେବ।
— ଆପଣଙ୍କ ନିଜ ଘର କେଉଁଠି??
— ଏଇଠୁ ମାତ୍ର ଦୁଇ କିଲୋମିଟର ଦୂରରେ ମୋର ଲୌକିକ ଜନ୍ମ ସ୍ଥାନ। ସେଠାରେ ମୋର ଲୌକିକ ମାତା ପିତା ,ଭାଇ ଆଉ ଭାଉଜ ରହୁଛନ୍ତି।;
— ଆପଣ କାହା ଦ୍ଵାରା ପ୍ରେରିତ ହୋଇ ଏହି ମାର୍ଗ କୁ ଆପଣାଇଛନ୍ତି??
— ଏ ତ ମୋର ଅନ୍ତର୍ମନ ର ପ୍ରେରଣା କହିଲେ ଅତ୍ୟୁକ୍ତି ହେବନାହିଁ। କିନ୍ତୁ ମୋତେ ବିଶ୍ୱାସ ଯେ ଈଶ୍ୱର ସଦା ମୋର ହାତ ଧରିଛନ୍ତି ଆଉ ମୋତେ ସତ ମାର୍ଗ ଦେଖାଉ ଛନ୍ତି।

— ଆପଣଙ୍କ ପ୍ରତିଭା ଏ ଖଣ୍ଡ ମଣ୍ଡଳ ରେ ବ୍ୟାପି ଗଲାଣି। ଲୋକେ ତାଙ୍କ ସମସ୍ୟା ନେଇ ଆସୁଛନ୍ତି ।ଆପଣଙ୍କ ଅମୂଲ୍ୟ ବାଣୀ ରେ ତୃପ୍ତ ହୋଇ ଫେରି ଯାଉଛନ୍ତି।ଏ ବିଷୟରେ ଆପଣ କଣ କହିବେ??
— ପ୍ରତିଭା ମୋର ବିଲକୁଲ ନୁହେଁ। ମୁଁ ନିମିତ୍ତ ମାତ୍ର। ମୋତେ ମୋର ଈଶ୍ୱର ଯାହା ପଢ଼ାଉଛନ୍ତି ତାକୁ ମୁଁ ମନେ ରଖୁଛି।ମୋ ସାମ୍ନା ରେ ଯେଉଁ ପ୍ରଶ୍ନ ଆସୁଛି,ତାର ସଠିକ ଉତ୍ତର ଦେବାକୁ ଚେଷ୍ଟା କରୁଛି।

— ଆପଣ , ଆପଣଙ୍କ ଜୀବନ ରେ କି ପରିବର୍ତ୍ତନ ଆଣିଛନ୍ତି ?? ଆଉ କାହିଁକି ଏପରି ଜୀବନଶୈଳୀ କୁ ଭଲ ବୋଲି କହୁଛନ୍ତି??

— ନା ,ମୁଁ କୌଣସି ଜୀବନ ଶୈଳୀ କୁ ଭଲ ଅବା ମନ୍ଦ କହୁନି। ସମସ୍ତ ମନୁଷ୍ୟ ଙ୍କ ଭିତରେ କିଛି ନା କିଛି ବିଶେଷତା ରହିଛି ଆଉ ଆଗ୍ରହ। ମୁଁ ଇଶ୍ୱରୀୟ ସେବା ରେ ପୁରା ସମର୍ପିତା। ହେଲେ ଗୃହସ୍ଥ ବା ଯେ କୌଣସି ଜୀବନ ଶୈଳୀ ରେ କିଛି ବି କମି ନାହିଁ ବରଂ କର୍ମ ଯୋଗୀ ସବୁଠାରୁ ମହାନ୍ ବୋଲି ଆପଣ ଗୀତା ରେ ବି ପଢ଼ିଛନ୍ତି। ଅବଶ୍ୟ ସମସ୍ତ କର୍ମ କୁ ନିମିତ୍ତ ହୋଇ କରିବା ଆଉ ଈଶ୍ଵର ଙ୍କ ସହିତ ଯୋଗ ରଖି ପଦ୍ମ ପୁଷ୍ପ ପରି ରହି ପାରିଲେ ହେଲା। ଆମେ ଆମ ସଂସ୍କାର ବା କର୍ମ ଦ୍ଵାରା ନିଜର ଭାଗ୍ୟ ନିର୍ଦ୍ଧିଷ୍ଟ କରି ଥାଉ। ଜୀବନ ରେ କେବେ କେଉଁ ଦୃଶ୍ୟ ଆସିବ ଆମେ ଜାଣି ନଥାଉ। ହେଲେ ସଂସାର ର ରଙ୍ଗ ମଞ୍ଚ ରେ ଗୋଟେ ଭଲ କଳାକାର ହେବା ଆତ୍ୟନ୍ତ ଜରୁରୀ। ସେ ଆମକୁ ଡିରେକ୍ସନ ଦେଉଛନ୍ତି। ସେ ନିଜେ ସ୍କ୍ରିପ୍ଟ ରାଇଟର।ବାସ ଆମକୁ ଖାଲି କର୍ମ ସୁଚାରୁ ରୂପେ କରିବାର ଅଛି।

— ଆଛା କହିବେ କି ଏହାକୁ ଅଲୌକିକ ଜନ୍ମ ଦିନ କାହିଁକି କହୁଛନ୍ତି??

— ମୁଁ ଯେବେ ଜନ୍ମ ଗ୍ରହଣ କଲି,ଏ ଲୌକିକ ଜଗତ ରେ ସେଦିନ ଠାରୁ ମୋର ଲୌକିକ ପିତାମାତା ସେହି ଦିନ କୁ ଜନ୍ମ ଦିନ ବୋଲି କୁହନ୍ତି। ମୋର ପରଲୋକ ରେ ପିତା ହେଉଛନ୍ତି ଈଶ୍ୱର। ଯେଉଁ ଦିନ ମୁଁ ଈଶ୍ବରଙ୍କ ଜ୍ଞାନ ମାର୍ଗ ରେ ଆସିଲି,ସେଦିନ ମୋର ପୁନର୍ଜନ୍ମ ହେଲା। ସେଥିପାଇଁ ତାକୁ ଅଲୌକିକ ଜନ୍ମ ଦିନ ବୋଲି ମାନିବାକୁ ପଡେ। ସେଥି ପାଇଁ ମୋର ଏ ଆତ୍ମିକ ଭାଇ ଭଉଣୀ ମାନେ ମିଶି ମୋର ଜନ୍ମ ଦିନ ପାଳନ କରୁଛନ୍ତି।

ଏପରି ଅନେକ ପ୍ରଶ୍ନ ର ଉତ୍ତର ଦେଇଥିଲେ ଉଷା ଦିଦି। ସମସ୍ତେ ମନ୍ତ୍ର ମୁଗ୍ଧ ହେଉଥିଲେ। ହେଲେ ମୁଁ ମୁକ ସାକ୍ଷୀ ହୋଇ ଦେଖିଛି ତାଙ୍କୁ। ସେ ପିଲାଦିନୁ ସତ୍ୟ ,ନ୍ୟାୟ ,ଦୟା ,କ୍ଷମା ର ପ୍ରତିମୂର୍ତ୍ତି ଥିଲେ। ହେଲେ ଏ କଳିଯୁଗର ରାବଣ ରାଜ୍ୟ ରେ ତାଙ୍କୁ ଚିହ୍ନିବା ଲୋକ କମ । ଘରେ ପାରିବାରିକ ଅଶାନ୍ତ ପରିବେଶ ତାଙ୍କୁ ଭଲ ଲାଗେନାହିଁ। ବିବାହ ଯୋଗ୍ୟା ହେବା ପରେ ଯାହାକୁ ନିଜର ଆତ୍ମା ବୋଲି ଭାବି ଭଲ ପାଉଥିଲେ,ସେ ବି ଧୋକା ଦେବାକୁ ପଛ ଘୁଂଚା ଦେଲା ନାହିଁ।ତାଙ୍କ ଜୀବନର ଶେଷ ଆଶାର କିରଣ କ୍ଷୀଣ ମନେ ହେଇଥିଲା। ସେଥି ପାଇଁ ସେହି ପ୍ରେମର ସାଗର,ଶାନ୍ତି ର ସାଗର ,ଦୟାର ସାଗର, କ୍ଷମା ର ସାଗର ରୁ କେଇ ବୁନ୍ଦା ପାଇ ଉଷା ଦିଦି ଆଜି ତୃପ୍ତ ।
ମୁଁ ସେଇ କଥା ଭାବୁଥିଲି —–
ପ୍ରେମରେ ପଡ଼ିବା ଲୋକ ଯେତେବେଳ ଜାଣନ୍ତି ତାଙ୍କ ପ୍ରେମ ତାଙ୍କର ହୋଇ ପାରିବନି ଅଥବା ହୋଇପାରୁନି,ତେବେ ସେ ଈଶ୍ୱର ବିଶ୍ୱାସୀ ହୋଇ ପଡନ୍ତି ଆଉ ନିଜ ଚେଷ୍ଟା ଅପେକ୍ଷା ଆଦେଖା ଈଶ୍ବରଙ୍କ ଉପରେ ବିଶ୍ୱାସ କରି ବସନ୍ତି।

ସେ ପ୍ରେମ ପିତାମାତା ଙ୍କ ସହିତ ହେଉ,ଭାଇ ଭଉଣୀ ଙ୍କ ସହିତ ହେଉ ,ସାଙ୍ଗ ସାଥି ଙ୍କ ସହିତ ହେଉ ବା ପ୍ରେମିକ ପ୍ରେମିକା ଙ୍କ ସହିତ ହେଉ।

 

~ ଅଳକା ମହାନ୍ତି ~

ନଭି ମୁମ୍ବାଇ


0

This entry was posted in Literature, Short Stories and tagged , , , , , , , , , , , . Bookmark the permalink.