ମନୋରଥ ~ ଅଳକା ମହାନ୍ତି ~

Short poem Manoratha by Alka Mohanty

ଲୋଡା ନାହିଁ ଭାଷା ଶବ୍ଦ ଉଚ୍ଚାରଣ
କହିବାକୁ ମନ କଥା,
ବାଦଲ ବରସେ ଆଦ୍ୟ ଆଷାଢ଼ ରେ
ବୁଝି ଧରଣୀ ର ବ୍ୟଥା। -୧

ରବି ଉଇଁ ଯାଏ ପୁରବ ଆକାଶେ
ପଙ୍କଜ ର ମନ ଜାଣି,
କୁମୁଦ ର ପ୍ରୀତି କେମିତି କେଜାଣି
ଚନ୍ଦ୍ର କି ପଚାରେ ପୁଣି?? -୨

ସରସୀ ଜଳ ରେ ଲୁଚକାଳି ଖେଳେ
ଭସା ବାଦଲ ର ଆଡ଼େ,
କୁମୁଦ ଆଖିରେ କେତେ ସ୍ଵପ୍ନ ନାଚେ
ଯେବେ ତା କିରଣ ପଡେ। -୩
ଧରଣୀ ରାଣୀ କୁ କେତେ ରଙ୍ଗ କରେ
ଶ୍ରାବଣ ର ଧାରା ଆସି
ମଥାର ସିନ୍ଦୂର ଟୀକା ପରି ଦିଶେ
ଛୋଟ ସାଧବ ବୋହୁଟି। –୪

ମନ ଜାଣି ଜଗା ଯାତ୍ରା କରିଥାଏ
ଭାଇ ଭଉଣୀ ଙ୍କୁ ଧରି,
ଭାବ ବିନୋଦିଆ ଭାବ ସେ ଵୁଝଇ
ଭକ୍ତ ବତ୍ସଳ ସେ ହରି –୫

କହୁଛି,” ଭକତେ ଉଣା କର ନାହିଁ
ମନ ଭାବନା କୁ ତୁମ,
ଜାଣିଛି , ବିପତ୍ତି ତୁମ ପାଇଁ ଅଛି
କାଳ ର କରାଳ ସମ।”–୬

ଏକା ଯିବୁ ଆମେ ଭାଇ ଓ ଭଉଣୀ
କରିବୁ ପାପ ର ନାଶ,
ଅନୁକୂଳ ନୁହେଁ ପାଣି ଓ ପବନ
ତୁମେ କର ଏକାନ୍ତ ବାସ।–୭

ଆସିବ ସୁଦିନ ସତ୍ୟ ଯୁଗ ପରି
କୋଳା କୋଳି ହେବା ଆମେ,
ମହାମାରୀ ଯିବ ପାପ ନାଶ ହେବ
କୁଶଳ ରହିବ ତୁମେ।–୮

ଭକତି ରେ ବଶ ମୁଁଭକ୍ତ ବତ୍ସଳ
ସ୍ନେହ ଡୋରେ ବନ୍ଧା ମୁଁ ଯେ,
ତୁମ ହୃଦୟ ରେ ସ୍ଥାନ ଦିଅ ଖାଲି
କରେ ମୁଁ ହୃଦୟେ ବିଜେ।–୯

 

~ ଅଳକା ମହାନ୍ତି ~

ନଭି ମୁମ୍ବାଇ


1

This entry was posted in Literature, Short Poems and tagged , , , , , , , , , , , , , , , . Bookmark the permalink.