ଅତର ଓ ଲିକର୍ ~ସରିତା ରଥ~

Short poem in Odia ' ATARA O LIQUOR " by Sarita Rath

ସମ୍ପର୍କ କଣ ଏଇ!
ଯେମିତି ସିଲ୍କ୍ ଶାଢ଼ୀର କାନି
ଖସି ଯାଏ ସବୁଥର ଆଖିରେ ବାନ୍ଧିବା ଆଗରୁ

ତୁମେ କୁହ ସବୁଥର ମୁଁ ହିଁ ଭୂଲ ହୋଇଯାଏ
ଭୁଲିଯାଏ ବିଛାମନ୍ତ୍ର
ବୁଢିଆଣୀ ଜାଲ ଛିଣ୍ଡାଉ ଛିଣ୍ଡାଉ

ତୁମର ଏତେ ରାଗ କିଆଁ
କେତେ ରୋଗ ଭୋଗୁଥାଅ
ଏ ଅନ୍ୟତମ ଅତର ଜ୍ୱାଳାରେ
କେବେ ଆସ ଆସରକୁ ମୋର
ଶୁଣିବ ବଜାଇ ଦେଇ ଦେହର ସିମ୍ଫୋନି
ସେଠିଥିବ ନଶା ଆଉ ନିଶା
କାଚ ଛାତିରେ ଥରାଇ ଦେବ
ଥ୍ରୀ ଚିୟର୍ସ ଧ୍ୱନୀ

କେତେକାଳ ଗାଉଥିବ
କଳ୍ପନାର ନାନାବାୟା ଗୀତ!
ବାସ୍ତବ ଗଜ଼ଲ ସବୁ ଚୁଲିକି ଗଲେଣି,

ଦେଖ ତୁମେ
ଉଡୁଛି ତୁମର ସେ ଷୋଳ ବର୍ଷି ସମୟର ଜାମା
ଦୂର ସେଇ ପଡ଼ିଆର ପାଳଭୂତର ହାତରେ
ତୁମ ଅଙ୍କା ଯେତେ ଚିତ୍ର
ଥରେ ବି କ’ଣ ଜୀବନ ଭୋଗିଲେ!

ଶୁଣ ଥରେ
ଜୀବନଟା କଣ
ମିଳିବନି କିଛି ଓଶୋ ଅବା ସଦଗୁରୁ କାହାକୁ ଶୁଣିଲେ
ଛୋଟ ଗୋଟେ ଘାଆ କିମ୍ବା ମହାମାରୀକୁ ଡରିଲେ

ଏଇ ଦେଖ
ତୁମେ ଅଛ
ମୁଁ ଅଛି
ଏଠି ଗୋଟେ ଚରାଭୂଇଁ ସମୁଦ୍ର ହେଉଛି
ଲୁଣକୁ ମାପିବା ଚାଲ
ଗଭୀରତା ଆମକୁ ଡାକୁଛି।

ତୁମେ ଜାଣ
ମୁଁ ଜାଣେ
ସବୁକିଛି ପୋଡି ଅଙ୍ଗାର ହେଉଛି।

 

~ ସରିତା ରଥ ~


1

This entry was posted in Literature, Short Poems and tagged , , , , , , , , , , , . Bookmark the permalink.

One Response to ଅତର ଓ ଲିକର୍ ~ସରିତା ରଥ~