ପ୍ରତିଦାନ Pratidana ~ଅଳକା ମହାନ୍ତି Alka Mohanty~

Short story in Odia Pratidana by Alka Mohanty

-ଦେଖନ୍ତୁ! ଆପଣ ଟିକେ ଆଖିବୁଜି ଶୋଇବାକୁ ଚେଷ୍ଟା କରନ୍ତୁ। ଏମିତି ଅହରହ ଚିନ୍ତା କଲେ କିଛି ଲାଭ ହେବନି। ଡକ୍ଟର ଆସୋସିସନର ମୁଖ୍ୟ ମଧ୍ଯ ଆପଣଙ୍କ ପାଇଁ ଅନୁଗ୍ରହ କରିଛନ୍ତି।ଦେଖିବେ ନିଶ୍ଚୟ ଡୋନର ମିଳିଯିବ। ଆପଣଙ୍କ ର ଡ଼ାୟାଲିଶିସ ଦରକାର ନ ପଡିପାରେ।
ଏମିତି ମିସ୍ ରୀତା,ଯିଏ ସୁଦାମ ବାବୁ ଙ୍କର କେବିନ୍ ରେ ନର୍ସ ରୂପେ ତାଙ୍କୁ ସେବା କରୁଥିଲେ,ଏମିତି ଅନେକ କଥା କହି ସାନ୍ତ୍ଵନା ଦେଉଥାଆନ୍ତି।
” ମୁଁ ଟିକେ ଆପଣଙ୍କ ର ଫାଇଲ ଟା ଡକ୍ଟର ଙ୍କୁ ଦେଖାଇ ଆସୁଛି। ଆପଣ ଶାନ୍ତି ରେ ଟିକେ ଶୋଇବାକୁ ଚେଷ୍ଟା କରନ୍ତୁ!
– ହଉ ଆଜ୍ଞା,ଆପଣ ଜଲଦି ଆସିବେ। ମୋତେ ଟିକେ ବହୁତ୍ ଚିନ୍ତା ହେଉଛି। ନିଦ ହେଉନି ଜମା। କଣ କରିବି। ସୁଦାମ ବାବୁ ତାଙ୍କୁ ଏକଥା କହି ଟିକେ ଆଖି ବୁଜିବାକୁ ଚେଷ୍ଟା କରୁ କରୁ କିଏ ଯେମିତି ତାଙ୍କ ଖଟ ଧାର ରେ ବସି ପଡିଲା ପରି ଲାଗିଲା। ଚାଇଁ କରି ଆଖି ଖୋଲି ଦେଖିଲା ବେଳକୁ ତାଙ୍କ ପିଲା ଦିନର ଅତି ପ୍ରିୟ ସାଙ୍ଗ ତାଙ୍କ ପାଖରେ ବସିଛି।
– ତୁ କେମିତି ସନ୍ଧ୍ୟା ବେଳେ ଆସିଲୁ ଗୁରୁ ? ଘରେ ଜାଣିଛନ୍ତି ? ମୁଁ ଜାଣିଥିଲି , ତୁ ଖବର ପାଇ କି ନିଶ୍ଚୟ ଆସିବୁ। ହେଲେ ଟିକେ ମନରେ ଡର ଥିଲା। ମୋର ଦାରିଦ୍ର୍ୟ ମୋର କାଳ ହେଲା। ହେଲେ ମୋତେ ଆଜି ତୋତେ ଏତେ ଦିନ ପରେ ଦେଖି କି କେମିତି ଲାଗୁଛି କହିଲୁ? ଯେମିତି ଏକ ତୃଷାର୍ତ୍ତ ମରୁଭୂମି ରେ ଶ୍ରାବଣ ର ଆଗମନ ହୋଇଛି।– କହି, ଉଠିବାକୁ ଚେଷ୍ଟା କରୁଥିଲେ ସୁଦାମ ବାବୁ।ତାଙ୍କୁ ଶେଯ ରେ ଶୋଇ ରହିବାକୁ ଇଙ୍ଗିତ ଦେଇ ଗୁରୁ ପ୍ରସାଦ କହିଲେ,
– ” ଘରେ କଣ ଜାଣିବେ? ଛୋଟ ବେଳେ ବୋଉ ବାପା ଙ୍କ ମନା କଲା ସତ୍ତ୍ବେ ବି ମୁଁ ତୁମ ଘରେ ରହୁଥିଲି। ମାଉସୀଙ୍କ ହାତର ପଖାଳ ବଡି ଚୁରା ଖାଇ ଆମେ ଦୁହେଁ ସ୍କୁଲ୍ ଯାଉଥିଲେ। ଦିନ ସାରା ତୋ ସହିତ ରହି ମୋ ମନ ବୋଧ ହୁଏନି ଯେ,ରାତିରେ ତୋ ପାଖରେ ଶୋଇ ଯାଏ ତୋ ଶେଯ ରେ। ସେତେବେଳେ ତ ବାପା ବୋଉ ଅଟକାଇ ପାରିଲେନି। ଆଉ ଏ ଘରେ ସ୍ତ୍ରୀ ପିଲା କଣ ମୋତେ ଅଟକାଇବେ ରେ। ଆମେ ପରା ଏକ ଆତ୍ମା ଦୁଇ ଟି ଶରୀର।
– ମୁଁ କଣ ଜାଣି ନି ସେ କଥା। ହେଲେ ଘରେ ଅଶାନ୍ତି ହେଲେ ଭଲ ଲାଗେ ନାହିଁ ରେ। ପୁଅ ଖବର କାଗଜ ରେ ଇସ୍ତାହାର ଦେଲା ବେଳେ ମୁଁ ଡରିଗଲି,ତାକୁ କହିଲି, ଗୁରୁ ଦେଖିଲେ ବ୍ୟସ୍ତ ହେବ। ଦେ ନା। ହେଲେ ସେ ମାନିଲାନି। ଡୋନର ପାଇଁ ଏକ ଆକୁଳ ନିବେଦନ କରିଦେଲା। କିଡନୀ ଦିଟା ଯାକ ଖରାପ ହୋଇ ଯାଇଛି ରେ। ପୁଅ ଟା ଛୋଟ, ତା ମାଆ ର ବାର ରୋଗ। କିଏ ଆଉ ଦେବ। ମୁଁ ବଞ୍ଚିବାକୁ ଚାହୁନି ରେ। ଏମାନେ ସବୁ ଲାଗିଛନ୍ତି। ହେଲେ ମୁଁ ଜାଣିଛି ଆଉ ମୋ କଥା ନୁହେଁ।
– ଶୁଣ।ତୁ ବ୍ୟସ୍ତ ହୁଅନା। ମୁଁ ସବୁ ବ୍ୟବସ୍ଥା କରି ଦେଇଛି। କିଡନୀ ଦେବା ଲୋକ ବି ମିଳି ଗଲେ। ତୁ ନିଶ୍ଚୟ ଠିକ୍ ହୋଇ ଯିବୁ। ତୁ ପଇସା କି କିଡନୀ ପାଇଁ କିଛି ଭାବନା। ମୁଁ ଡକ୍ଟର ଙ୍କ ସହିତ କଥା ବାର୍ତ୍ତା କରି ସାରିଲିଣି। ତୋର ଆଜି କି କାଲି ସକାଳୁ ଅପରେସନ ହୋଇ ଯିବ। ଦେହ ଯତ୍ନ ନେବୁ। ମୁଁ ସବୁବେଳେ ତୋ ସହିତ ରହିବି ରେ। ଭଗଵାନ ବି ଆମ ଦି ଜଣଙ୍କୁ ଅଲଗା କରି ପାରିବେନି। ସେ ମୋ ସ୍ତ୍ରୀ କଥା ଧରିବୁନି।ସେ ପିଲାଲିଆ ଢ଼ଙ୍ଗ ରେ ମୋତେ କଣ କହି ଦିଏ। ତାର ଯଦି ବୁଦ୍ଧି ଥାଆନ୍ତା ସେ କଣ ମୋତେ ରାଣ ନିୟମ ପକାଇ ତୋତେ ମିଶିବାକୁ ବାରଣ କରନ୍ତ ! ତେଣୁ ତା କଥା ଧରିବୁ ନାହିଁ।
– ଆରେ ଗୁରୁ, ମୁଁ କାହା କଥା ଧରେନି ରେ।ଖାଲି ତୋତେ ଟିକେ ଦେଖିବାକୁ ମନ ହୁଏ। ପିଲା ଦିନ କଥା ମନେ ପଡ଼ିଯାଏ। କେତେ ସୁନ୍ଦର ଅନୁଭୁତି ଆମର।ଆଉ ସେ ସମୟ କଣ ଫେରିବ ?
– ତୁ କିଛି ଭାଵନା ,ସବୁ ଠିକ୍ ହୋଇ ଯିବ। ମୁଁ ବି ସବୁବେଳେ ତୋ ସହିତ ରହିବି। ହେଲା !! ମୁଁ ଯାଉଛି ଡକ୍ଟର ଙ୍କୁ କଥା ହୋଇଯାଏ। ତୋର ଅପରେସନ ପାଇଁ ସବୁ ବ୍ୟବସ୍ଥା କରିବା ନା।
– ହଉ ,ଟିକେ ଟିକେ ଆସୁଥିବୁ ରେ। ତୋ କଥା ବହୁତ୍ ମନେ ପଡୁଛି। ଏ ବିଛଣାରେ ପଡି ପଡି ଆଉ କିଛି ଭଲ ଲାଗୁନି।କହି କାନ୍ଦି ପକାଇଲେ ସୁଦାମ ବାବୁ।
ତାଙ୍କ ଲୁହ ପୋଛି ଦେଇ କହିଲେ, ଗୁରୁ ପ୍ରସାଦ ,ବିଧି ର ବିଧାନ,କେ କରିବ ଆନ। ଯାହା ଲେଖା ହୋଇଛି କପାଳରେ , ସେଇୟା ହିଁ ତ ହେବନା। ହଉ ଯାଉଛି। ସେମିତି ତୋ ମନ ଆଉ ଶରୀର ରେ ମୋତେ ସାଇତି ରଖିବୁ !

ତର ତର ହୋଇ ସିଷ୍ଟର ଦୌଡି ଆସି କହିଲେ , ସାର୍ , ଚାଲନ୍ତୁ । ଆପଣଙ୍କ ପାଇଁ କିଡନୀ ମିଳିଗଲା। ଏବେ ସ୍ପେଶିଆଲ୍ ରୁମ୍ ରେ ଟ୍ରିଟ ମେଣ୍ଟ ପରେ କାଲି ସକାଳୁ ଅପରେସନ ହୋଇ ଯିବ।
ଆଶ୍ଚର୍ଯ୍ୟ ହୋଇ ପଚାରିଲେ ସୁଦାମ ବାବୁ,କିଏ ଡୋନେଟ୍ କରୁଛି। ହଠାତ୍ କେମିତି ମିଳିଲା?

– ହଁ ଆକ୍ସିଡେଣ୍ଟ କେସ। ସେ ନିଜେ ପେପର ରୁ ଆପଣଙ୍କ ନା ଦେଖି କିଡନୀ ଦାନ କରିବାକୁ କହି ଇହଧାମ ତ୍ୟାଗ କରିଥିଲେ।

– ସେ କିଏ ? ତାଙ୍କ ନା କଣ?
– ସାର୍ ,ସେ ତାଙ୍କ ନାମ ଗୁପ୍ତ ରଖିବାକୁ କହିଛନ୍ତି।
– ସତରେ କେତେ ମହାନ୍ ସେ ବ୍ୟକ୍ତି। ଯାଉ ଯାଉ କାହାର ଜୀବନ ରକ୍ଷା କରି ଚାଲିଗଲା।ସେମାନେ ହିଁ ଈଶ୍ଵର ଙ୍କ ପ୍ରତିରୂପ।
– ଚାଲନ୍ତୁ ଆଜ୍ଞା, ଭାଇ ମାନେ ଆସିଲେଣି।ଅନ୍ୟ ରୁମ୍ କୁ ଯିବେ।

ସମସ୍ତ ଔପଚାରିକତା ଶେଷ କରି ଡକ୍ଟର ଅପରେସନ କାର୍ଯ୍ୟ ସଫଳତା ପୂର୍ବକ ଶେଷ କଲେ। ସମସ୍ତେ ଡୋନର ଙ୍କ ଜୟ ଗାନ କରୁଥାନ୍ତି। ସଫଳ ଅପରେସନ ପରେ ସୁଦାମ ବାବୁ ଙ୍କୁ ସାତ ଦିନ ଭିତରେ ଘର କୁ ନେଇ ଆସିଲେ । ସେ ଏବେ ସଂପୂର୍ଣ୍ଣ ସୁସ୍ଥ ବୋଲି ଡକ୍ଟର ଘୋଷଣା କରିଦେଲେ। ନିର୍ଦ୍ଧାରିତ ଔଷଧ ସେବନ କରିବା , କିଛି ସାବଧାନତା ରକ୍ଷା କରିବା ଆଉ ରେଗୁଲାର ଚେକ୍ ଅପ୍ କରିବା କୁ କହି ତାଙ୍କୁ ଡିସ୍ଚାର୍ଜ କରିଦେଲେ।
– ସେଦିନ ସକାଳୁ ଉଠି ଘରେ ନିଜ ବେଡ୍ ଉପରେ ଚା ପିଉ ପିଉ ଲୋକାଲ ନିଉଜ ପେପର ଉପରେ ଆଖି ଆଖି ପକାଉ ପକାଉ ସୁଦାମ ବାବୁ ଦେଖିଲେ ,” ବିଶିଷ୍ଟ ଶିଳ୍ପପତି ଙ୍କ ର ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ” ଏକାଦଶ ପାଇଁ ବିଶେଷ ସଭା ଘୋଷଣା, ଫଟୋ ଟି ତାଙ୍କ ସାଙ୍ଗ ଗୁରୁ ପ୍ରସାଦ ଙ୍କ ର ଲାଗିଛି। ସେ ନିଜ ଆଖି କୁ ବିଶ୍ୱାସ ନ କରି ଜୋରସେ ଚିଲେଇ ଉଠିଲେ।
-ଆରେ ମୁନା (ପୁଅ) ,ୟେ କାହା ଫଟୋ ଦେଖିଲୁ।ମୁଁ ଚିହ୍ନି ପାରୁନି।
– ତାଙ୍କ ସ୍ତ୍ରୀ ଆଉ ପୁଅ ମୁନା ଦୌଡି ଆସିଲେ, କହିଲେ,ବାପା, ସେ ଗୁରୁ ଅଙ୍କଲ୍ ଙ୍କ ଫଟୋ।ତୁମ ଦେହ ଅତ୍ୟଧିକ ଖରାପ ହେଉ ହେଉ ମୁଁ ତାଙ୍କୁ ଅନେକ ବାର କଲ୍ କରିଛି। ହେଲେ କେବେ ଅଙ୍କଲ ନକର ବିଜି ଆସେ ତ ଲାଣ୍ଡ ଲାଇନ ରୁ ଆଣ୍ଟି କହନ୍ତି” ସେ ବ୍ୟସ୍ତ ଅଛନ୍ତି।ପରେ କଥା ହେବେ। କଣ କରିବି କଥା ହୋଇ ପାରି ନଥିଲି। ଅଙ୍କଲ କିନ୍ତୁ ପେପର ରୁ ତୁମ ବିଷୟରେ ପଢ଼ି ଥିଲେ। ସେଦିନ ସେ ଘରୁ କୁଆଡେ ଯାଉଥିଲେ,ଟ୍ରକ୍ ସହିତ ଆକସିଡେଣ୍ଟ ହେଲା ପରେ ସେ କହୁଥାନ୍ତି,” ମୋ ସାଙ୍ଗ ସୁଦାମ ଅପୋଲୋ ରେ ଅଛି ।ମୋତେ ସେଇଠି କୁ ନେଇ ଯାଅ।ଯଦି ମୁଁ ବଂଚି ଯାଏ ତାକୁ ମୋର ଗୋଟେ କିଡନୀ ଦେବ। ନହେଲେ ମୋର ଦିଟା ଯାକ କିଡନୀ ଦେଇ ବଞ୍ଚାଇ ଦେବ। ” ସେ କହିଥିଲେ ତୁମକୁ ନ କହିବାକୁ। କିନ୍ତୁ କେମିତି ନ କହିବି। ସେ ହସ୍ପିଟାଲ୍ ରେ ପହଞ୍ଚି ପ୍ରାଣତ୍ୟାଗ କରିଥିଲେ। ହେଲେ ସେ ତାଙ୍କ ଶେଷ ଇଛା ପୂରଣ କରି ଯାଇଛନ୍ତି।”
– କଣ କହୁଛୁ,ଗୁରୁ ପରା ମୋ ପାଖକୁ ଆସିଥିଲା ,ମୋତେ ସବୁ ବୁଝାଇ କହିଲା।
-କେବେ ବାପା?
– ମୋ ଅପରେସନ ପୂର୍ବ ଦିନ
– ସେଦିନ ତାଙ୍କର ମୃତ୍ୟୁ ହୋଇ ସାରିଥିଲା ,ବାପା ।
ସୁଦାମ ବାବୁ ,ସବୁ ବୁଝିଗଲେ।ଭାବୁଥିଲେ,ଗୁରୁ କହେ – ଶରୀର ସାଥୀରେ ରହିବନି,ହେଲେ ଆତ୍ମା କୁ କିଏ ମାରିବ?
ଯାଉ ଯାଉ ମୋତେ କାଙ୍ଗlଳ କରି ଦେଇ ଗଲୁ ରେ ଗୁରୁ,କହି ଭୋ ଭୋ ହୋଇ ସୁଦାମ ବାବୁ କାନ୍ଦୁଥିଲେ।

 

~ଅଳକା ମହାନ୍ତି


1

This entry was posted in Literature, Short Stories and tagged , , , , , , , , , , . Bookmark the permalink.

One Response to ପ୍ରତିଦାନ Pratidana ~ଅଳକା ମହାନ୍ତି Alka Mohanty~

  1. Prabhu Prasad Dash says:

    This is one of the best example of noble relationship / friendship at soul level. Thank you Alaka for giving such moral messages to society continuously. Flow & composition of the story is excellent & emotional. Keep it up !! Stay blessed 🙏🙏