PUNARJANMA ପୁନର୍ଜନ୍ମ by ~ ROZALINI MISHRA ରୋଜାଲିନି ମିଶ୍ର ~

Punarjanma by Rozalini Mishra in Best Of Odisha

ଯେଉଁ ଦିନ ପ୍ରଥମ କରି ରମାକାନ୍ତ ବାବୁ ଆଉ ସୁଷମା ଦେବୀ ମିନି କୁ ଦେଖିଲେ କେମିତି ଗୋଟେ ଅଜଣା ପୁଲକ ଆଉ ଶିହରଣ ଖେଳି ଯାଇଥିଲା ଦୁହିଙ୍କ ଦେହରେ । ସେମିତି ଆଖି , ସେମିତି ଓଠ, ଚିବୁକରେ ଛୋଟ କଳାଜାଇଟେ ସେମାନଙ୍କୁ ଫେରାଇ ନେଇଥିଲା ଷୋହଳ ବର୍ଷ ତଳକୁ ।

ଷୋହଳ ବର୍ଷ ତଳେ ରମାକାନ୍ତ ବାବୁ ଆଉ ସୁଷମାଙ୍କର ଥିଲା ପାଞ୍ଚ ବର୍ଷର ଝିଅଟିଏ ସିମି । ସେମାନଙ୍କ ଅତି ଗେଲବସରର ଝିଅ ସିମି ଯେ ଅଳ୍ପ ଦିନରେ ଅତିଥି ସେମାନଙ୍କ ଘରେ ଏ କଥା କିଏ ବା କାହିଁକି ଜାଣିବ ? ଅତି ଗେହ୍ଲାରେ ବଢିଥିବା ଝିଅଟା ସଡକ ଦୁର୍ଘଟଣାରେ ଆଖି ବୁଜି ଦେଇଥିଲା ସବୁଦିନ ପାଇଁ ବାପା ମା, ବନ୍ଧୁ ବାନ୍ଧବ, ସାଙ୍ଗ ସାଥୀ, ସାହି ପଡିଶାଙ୍କୁ ନିର୍ବାକ ଆଉ ହତବାକ କରିଦେଇ ।

ସିମି ଚାଲିଯିବାର ଦୁଇବର୍ଷ ପରେ ସେମାନଙ୍କ କୋଳକୁ ପୁଅଟିଏ ଅବଶ୍ୟ ଆସିଛି, କିନ୍ତୁ ସିମିକୁ ଭୁଲି ପାରିନାହାନ୍ତି ଉଭୟେ । ପ୍ରତିମୁହୂର୍ତରେ ଘରେ ଗୋଟେ ଝିଅର ଅଭାବକୁ ଅନୁଭବ କରିଛନ୍ତି ସେମାନେ।ସେ ଘରର କାନ୍ଥବାଡ଼, ବାଡ଼ି ବଗିଚା, ଧୂଳିବାଲି ସବୁଥିରେ ଯେ ସିମି ତାର ସ୍ମୃତିର ସ୍ବାକ୍ଷର ଛାଡିଯାଇଛି, କେମିତି ଭୁଲିହବ ସିମିକୁ! ଘର ଭିତରେ ସିମିର ସ୍ମୃତି ଖାଇ ଗୋଡାଏ ସୁଷମାଙ୍କୁ । ମଝିରେ ମଝିରେ ସିମି ସିମି ହୋଇ ପ୍ରଳାପ କରନ୍ତି ସିଏ ପାଗେଳୀଙ୍କ ପରି । ସିମି ବୟସର ଯାହାକୁ ଦେଖନ୍ତି ତା ମୁହଁକୁ ନିରେଖି ନିରେଖି ଚାହିଁ ସିମିକୁ ଖୋଜିବାକୁ ଚେଷ୍ଟା କରନ୍ତି ସିଏ ।

ଏମିତିରେ ବିତି ଯାଇଛି ଷୋହଳ ବର୍ଷ । ପୁଅ ବଣ୍ଟିର ପାଠପଢା ଆଉ ଟିଉସନ ସୁବିଧାକୁ ଆଖି ଆଗରେ ରଖି ରମାକାନ୍ତ ବାବୁ ତାଙ୍କର ସେ ପୁରୁଣା ଘର ଛାଡ଼ି ଆସି ରହିଲେ ବଣ୍ଟିର ସ୍କୁଲ ପାଖରେ ଥିବା ତାଙ୍କର ଆଉ ଏକ ନୂଆ ଘରେ। ଭଡାଟିଆଙ୍କୁ କାଢି ନିଜେ ରହିବାର ବ୍ୟବସ୍ଥା କଲେ ସେଠି ।

ନୂଆ ଘରର ପଡୋଶୀ ଶିଶିର ବାବୁ ରମାକାନ୍ତ ବାବୁଙ୍କର ପୁରୁଣା ଘନିଷ୍ଠ ବନ୍ଧୁ । ନୂଆ ଘରକୁ ଆସିବାର ପରଦିନ ରମାକାନ୍ତ ବାବୁ ଶିଶିର ବାବୁଙ୍କୁ କହିଲେ, ଆପଣ ଆମ ପାଇଁ କାମବାଲିଟେ ବୁଝି ଦିଅନ୍ତୁ । ବେଶୀ କିଛି କାମ ନାହିଁ । ଖାଲି ଦିନକୁ ଦୁଇ ବେଳା ଆସି ବାସନ ଦୁଇଖଣ୍ଡ ମାଜିଦବ ଆଉ ଘର ଟିକେ ଝାଡୁ ମାରିଦେଇ ଯିବ ।
ଶିଶିର ବାବୁ କହିଲେ ଏଇଟା ଗୋଟାଏ କଥା ! ଆମ ଘରକୁ ମିନି ବୋଲି ଷୋହଳ ବର୍ଷର ଝିଅଟେ ଆସୁଛି ଦିନକୁ ଦୁଇ ବେଳା କାମ କରିବାକୁ। ଆଜି ସନ୍ଧ୍ୟାରେ ପଠେଇ ଦେବି ଆପଣଙ୍କ ଘରକୁ । ଆପଣ କଥା ହୋଇଯିବେ ତା ସହ ।

ଷୋହଳ ବର୍ଷର ଝିଅଟା ଶୁଣି ଟିକେ ଆଗ ପଛ ହେଲେ ରମାକାନ୍ତ ବାବୁ। କହିଲେ ନା’ ନା’ ଥାଉ। ବୟସ୍କ ସ୍ତ୍ରୀ ଲୋକଟିଏ ଠିକ କରିଦେଲେ ଟିକେ ଭଲ ହୁଅନ୍ତା । କିଛି ତରତର ହେବା ଦରକାର ନାହିଁ । ଆମେ ଆଠଦଶ ଦିନ ସେମିତି ଚଳେଇ ଦେବୁ । ସେ ଝିଅ କହୁଛି ତାକୁ ଷୋହଳ ବର୍ଷ। ସତ କହୁଛି କି ମିଛ କହୁଛି କିଏ ଜାଣିଲା । ଏବେ ତ କାମ ନ ମିଳିବା ଭୟରେ ବୟସ ବଢ଼େଇକି କହିଦେଉଛନ୍ତି ବସ୍ତି ପିଲା ଗୁଡାକ। ଯଦି ସତରେ ସେମିତି ହୋଇଥାଏ ଆଉ କେହି ଆମ ନାଁ ରେ କମ୍ପ୍ଲେନ କରିଦିଏ ତାହେଲେ ବାଳଶ୍ରମିକ ରଖିବା ଅପରାଧରେ ଜେଲ ଯିବାଟା ଥୟ । ଆପଣ ଜାଣି ନାହାନ୍ତି କି, ” As per child labour Act, 1986, amended in 2016, prohibits employment of any person below 14 in any employment including as a domestic help. ” ନା’ ନା’ ଥାଉ , ତାକୁ ମୋ ଘରକୁ ପଠେଇବା ଦରକାର ନାହିଁ । ଆଉ ମୋର ପରାମର୍ଶ ଆପଣ ବି ତାକୁ କାମରୁ ବାହାର କରି ଆଉ କାହାକୁ ଦେଖନ୍ତୁ ।

ଶିଶିର ବାବୁ କହିଲେ କି ଡରୁଆ ଲୋକ କିହୋ ଆପଣ ! ସିଏ ତ ନିଜେ କହୁଛି ତାକୁ ଷୋହଳ ବର୍ଷ ।
ତା ଛଡା ଆମେ କଣ ତାକୁ ଜବରଦସ୍ତି ଆଣି କାମରେ ଲଗାଉଛେ କି ? ମୋ ଘରେ କାମ କଲାଣି ସିଏ ପାଖାପାଖି ବର୍ଷେ ହେବ । ଆମ ଏଇ ଗଳିର ଶେଷ ମୁଣ୍ଡରେ ଜେନା ବାବୁଙ୍କ ଘରେ ବି କାମ କରୁଛି ଝିଅଟା । ଆଉ ଆପଣଙ୍କୁ ଖାଲି ପୋଲିସ ବାନ୍ଧି ନେଇ ଯାଉଛି । ମା’ ବାପା ଛେଉଣ୍ଡ ଝିଅଟା । ମାମୁଁ ମାଇଁଙ୍କ ପାଖରେ ରହୁଥିଲା । ମାମୁଁ ମଲା ପରେ ମାଇଁ ଘରୁ ବାହାର କରିଦେଇଛି ଦୁଇ ମାସ ହେଲାଣି । ଖଟିଲେ ଖାଉଛି ଗଣ୍ଡାଏ ଛୁଆଟା।ଏବେ ତାକୁ କାମରୁ ବାହାର କରିବାର ଅର୍ଥ ତା ଆହାର ମୁଁହରେ ପାହାର ଦେବା ଛଡା ଆଉ କିଛି ନୁହେଁ ।ଆପଣଙ୍କ ଘର କାମଟା ଧରିଲେ ଆଉ ଦି ପଇସା ପାଇବ ଝିଅଟା । ରୁହନ୍ତୁ, ସନ୍ଧ୍ୟାବେଳେ ପଠେଇ ଦଉଛି ତାକୁ । କାଲିଠାରୁ ଆସି ଆପଣଙ୍କର କାମ କରିଦେବ ସିଏ ।

ସନ୍ଧ୍ୟାବେଳେ ମିନିକୁ ଦେଖି କେମିତି ଗୋଟେ ଅଜଣା ପୁଲକରେ ପୁଲକିତ ହୋଇଥିଲେ ଦୁହେଁ ରମାକାନ୍ତ ବାବୁ ଆଉ ସୁଷମା । ମିନି ସହ ସିମି ଚେହେରାର ସାମଞ୍ଜସ୍ୟ ସେମାନଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗିଥିଲା ।

ଏ କିଛିଦିନ ଭିତରେ ମିନି ସହ ଗୋଟେ ସ୍ନେହର ସମ୍ପର୍କରେ ବାନ୍ଧି ହୋଇଯାଇଛନ୍ତି ଦୁହେଁ ସ୍ୱାମୀ ସ୍ତ୍ରୀ । ମିନି ତାଙ୍କ ଘରର ଗୋଟେ ସଦସ୍ୟ ହୋଇଗଲାଣି ଧୀରେ ଧୀରେ । ମିନିକୁ ଘରର କାମବାଲୀ ବୋଲି କେବେ ଭାବି ପାରନ୍ତିନି ସୁଷମା।ତାଙ୍କୁ ଲାଗେ ଏ ତାଙ୍କ ସିମି । କିନ୍ତୁ ମୁଁହ ଖୋଲି କହି ପାରନ୍ତିନି କିଛି ।

ସେଦିନ ପୁଅ ବଣ୍ଟିର ଜନ୍ମଦିନରେ ସମସ୍ତେ ଏକାଠି ବସି ଖାଉଥାନ୍ତି । ମିନି କହିଲା ମା’ କ୍ଷୀରିଟା ଭାରି ବଢିଆ ହୋଇଛି । ଆଉ ଟିକେ ଦିଅନ୍ତୁ ନା ମୋତେ । ହଁ ହଁ ଦଉଛି କହି ମିନି ପାତ୍ରରେ କ୍ଷୀରି ଢାଳି ଦେଉ ଦେଉ ଆଖି ଛଳ ଛଳ ହୋଇଗଲା ସୁଷମାଙ୍କର । ମନେ ପଡିଗଲା ସିମି କଥା । ସିମି କେତେ ଭଲ ପାଏ କ୍ଷୀରିକୁ । ଗିନା ଚାଟି ଚାଟି ସଫା କରିଦିଏ ସବୁ ।
ମିନି ଖୁସିରେ କ୍ଷୀରି ଖାଇଚାଲିଛି ଆଉ ତାକୁ ବିଭୋର ଦୃଷ୍ଟିରେ ଚାହିଁ ରହିଛନ୍ତି ସୁଷମା । ସବୁ କ୍ଷୀରି ଖାଇ ସାରି ମିନି ହଠାତ ଗିନା ଚାଟିବା ଆରମ୍ଭ କରିଦେଲା । ନିଜ ଅଜାଣତରେ ଚିଲେଇ ଉଠିଲେ ସୁଷମା । ” ତୋତେ ମନା କରିଥିଲି ନା ଏମିତି ଗିନା ବାସନ ଚାଟି ଚାଟି ଖାଆନ୍ତିନି ବୋଲି। ଏଗୁଡା ଭଲ ଅଭ୍ୟାସ ନୁହେଁ” । ମିନି ଆଶ୍ଚର୍ଯ୍ୟ ହୋଇ ଚାହିଁଲା ସୁଷମାଙ୍କୁ । କହିଲା ମା’ଆପଣ କେବେ ତ କହିନାହାନ୍ତି ମୋତେ ଏ କଥା । କାନ୍ଦି ପକେଇଲେ ସୁଷମା । କହିଲେ ନା ରେ ମା’ , କିଛି ଭାବିବୁନି । ସିମି କଥା ମନେ ପଡିଗଲା । ତାକୁ ମନା କରେ ସବୁବେଳେ ସେ ଏମିତି ଖାଏ ବୋଲି । ପାଞ୍ଚ ବର୍ଷର ଛୁଆଟା କିଛି ମାନେନି ମୋ କଥା । ପୁଣି ସେମିତି ଖାଏ କହି ଆଖି ପୋଛିଲେ ସୁଷମା ।

ଆଜି ଜନ୍ମାଷ୍ଟମୀ । ସୁଷମା ଦେବୀଙ୍କ ଘରେ ପୂଜା ଚାଲିଛି । କେତେ ପ୍ରକାର ଫଳମୂଳ, ମିଷ୍ଟାନ୍ନ, ଚୁଡାଘଷା, ରାଶିଲଡୁ ସବୁ ଥାଳିରେ ସଜାହୋଇ ଥୁଆ ହୋଇଛି ପୂଜାଘରେ । ପୂଜା ସରିଲା ପରେ ସୁଷମା ମିନି ଆଗରେ ପୂଜା ଥାଳିଟା ଧରି କହିଲେ ନେ ମା’ ପ୍ରସାଦ ଟିକେ ପାଇ ଦେ। ତା ପରେ ଯିବୁ ତୁ । ମିନି ଦୁଇ ହାତ ଭର୍ତ୍ତିକରି ଯେତେ ପାରିବ ସବୁତକ ରାଶିଲଡୁ ଭର୍ତ୍ତି କରିନେଲା ତା ହାତ ଆଞ୍ଜୁଳାରେ। କହିଲା ମୁଁ ଆଉ କିଛି ଖାଇବିନି । ଏ ରାଶିଲଡୁ ତକ ସବୁ ମୋର । ଆଉ କାହାକୁ ଦେବିନି ମୁଁ । ଆଶ୍ଚର୍ଯ୍ୟ ହୋଇ ଚାହିଁଛନ୍ତି ରମାକାନ୍ତ ବାବୁ ଆଉ ସୁଷମା ଦେବୀ ପରସ୍ପରର ମୁହଁକୁ । ପୁଣି ଜାଗ୍ରତ ହୋଇଗଲା ସିମିର ସୃତି ମନ ଭିତରେ । ଘରେ ଯେତେବେଳେ ରାଶିଲଡୁ ହୁଏ , ସିମି ତା କୁନି କୁନି ଆଞ୍ଜୁଳାରେ ଯେତେ ଜାଗା ହେବ ରାଶିଲଡୁ ନେଇ ଶାର୍ଟ ପକେଟରେ ଭର୍ତ୍ତି କରିସାରିଲା ପରେ ପୁଣି ହାତ ପ୍ରସାରି ଦିଏ ଆଞ୍ଜୁଳା ଭର୍ତ୍ତି କରିବା ଉଦ୍ଦେଶ୍ୟରେ ।

ଏମିତି ଛୋଟବଡ ବହୁତ ଘଟଣାରେ ସିମି ସହ ମିନିର ତାଳମେଳ ଦେଖି ମିନି କୁ ସିମି ଭାବି ବସିଲେଣି ସୁଷମା ଧିରେ ଧିରେ।

ଦିନେ ସନ୍ଧ୍ୟା ବେଳେ ଚା ପିଉପିଉ ରମାକାନ୍ତ ବାବୁଙ୍କୁ ସୁଷମା ଦେବୀ କହିଲେ , ବୁଝିଲ ତୁମେ ବିଶ୍ୱାସ କର କି ନ କର , ମୋତେ ଲାଗୁଛି ଏ ଆମ ସିମି । ଆଉ ଥରେ ଜନ୍ମ ପାଇ ପୁଣି ଫେରି ଆସିଛି ମୋ କୋଳକୁ। ଜାଣିଛ ମିନି କହୁଥିଲା ତା ଜନ୍ମ କୁଆଡେ ଶ୍ରୀଗୁଣ୍ଡିଚା ଦିନ ଯେଉଁଦିନ ସିମି ଆମକୁ ଛାଡି ଚାଲି ଯାଇଥିଲା । ମଣିଷର ଶରୀର ସିନା ନଶ୍ୱର କିନ୍ତୁ ଆତ୍ମା ତ ଅଜର, ଅମର ଆଉ ଅବିନାଶୀ । ମଣିଷ ତା ଦେହରୁ କପଡା ବଦଳେଇଲା ପରି ମୃତ୍ୟୁ ପରେ ଆତ୍ମା ଶରୀର ବଦଳେଇ ଦିଏ । ମୋ ସିମି କୁ ଭଗବାନ ମିନି ରୂପରେ ପୁଣି ମୋ କୋଳକୁ ଫେରେଇ ଦେଇଛନ୍ତି । ଆମେ ତାକୁ ଝିଅ କରି ପାଖରେ ରଖିଲେ କେମିତି ହୁଅନ୍ତା । ରମାକାନ୍ତ ବାବୁ କହିଲେ ସେ ତ ଆମ ଝିଅ ପରି ଆମ ପାଖରେ ଚଳୁଛି । ଆହୁରି ପୁଣି କ’ଣ ? ସୁଷମା କହିଲେ, “ନା, ସେମିତି ନୁହେଁ । ସେ ଆମ ପାଖରେ ଆମ ଘରେ ପୁରା ରହିବ। ତା ଅଧାରୁ ଛାଡିଥିବା ପାଠପଢାକୁ ପୁଣି ଆରମ୍ଭ କରିବ । ଆମେ ତାକୁ ପଢେଇବା । ଭଲ ଘର ଆଉ ବର ଦେଖି ହାତକୁ ଦିହାତ ବି କରିବା”।

ସୁଷମାଙ୍କ ତୁଣ୍ଡରେ ନିଜର ମନ କଥା ଗୁଡାକ ଶୁଣି ଖୁସି ହୋଇ ଯାଇଥିଲେ ରମାକାନ୍ତ ବାବୁ । ଭାବୁଥିଲେ ଏ ଆମ ସିମିର ପୁନର୍ଜନ୍ମ ହେଉ କି ନହେଉ , ମିନିକୁ ସାହାରା ଦେବା ଦ୍ୱାରା ଗୋଟେ ଅନିଶ୍ଚିତ ଅନ୍ଧକାର ଭବିଷ୍ୟତକୁ ସେ ଉଜ୍ଜ୍ୱଳ ଆଶାର ଆଲୋକ ଟିକିଏ ଦେଖେଇ ତ ପାରିବେ । ତାଙ୍କ ପାଇଁ ବଣରେ ଫୁଟିଥିବା ବଣମଲ୍ଲୀଟି ଦେବାଳୟର ସ୍ୱପ୍ନ ତ ଦେଖି ପାରିବ । ତା ଛଡା କନ୍ୟାଦାନର ପୁଣ୍ୟ ଭାଗ୍ୟରେ ଥିଲେ ମିଳେ ।

ସୁଷମାଙ୍କ କଥାରେ ସହମତି ଜଣାଇଲେ ରମାକାନ୍ତ ବାବୁ । ଖୁସି ମନରେ ସୁଷମା ଉଠିଗଲେ ଠାକୁରଘରକୁ ସନ୍ଧ୍ୟାଧୂପ ଦେବା ଉଦ୍ଦେଶ୍ୟରେ । ବାଲକୋନିରେ ବସି ରମାକାନ୍ତ ବାବୁ ଅପେକ୍ଷା କରିଥିଲେ ମିନିର ଆସିବା ବାଟକୁ । ଏଥର ମିନି ଆସିଲେ ତାକୁ ଆଉ ଯିବାକୁ ଦେବେନି ସେ । ଠାକୁରଘରେ ସନ୍ଧ୍ୟାଧୂପ ଦେଇସାରି ସୁଷମା ପଢୁଥିଲେ ଭଗବତ୍ ଗୀତା …

” ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି , ନୈନଂ ଦହତି ପାବକଃ ।
ନ ଚୈନଂ କ୍ଲେଦୟନ୍ତ୍ୟପୋ , ନ ଶୋଷୟତି ମାରୁତଃ।”

~ରୋଜାଲିନି ମିଶ୍ର~
ଭି ଏସ ଏସ ନଗର


2

This entry was posted in Literature, Short Stories and tagged , , , , , , , , . Bookmark the permalink.

2 Responses to PUNARJANMA ପୁନର୍ଜନ୍ମ by ~ ROZALINI MISHRA ରୋଜାଲିନି ମିଶ୍ର ~