ଅଶିଣ ଆସିଛି ~ତାରାପ୍ରସାଦ ଜେନା~

Short poem in Odia "Ashina Asichhi" by Taraprasad Jena ଅଶିଣ ଆସିଛି ~ତାରାପ୍ରସାଦ ଜେନା~

ଭସା ମେଘ ସାଥେ ଅଶିଣ ଆସିଛି
ବିଛାଡ଼ି କୋମଳ ଖରା,
ମୃଦୁ ପବନର ମିଠା ଆଘାତରେ
ମନଟା ଉସତ ପରା।

କାଶତଣ୍ଡୀ ଫୁଲ ଚାମର ହଲାଏ
ଗୋହିରୀ ତଟିନୀ ତଟେ,
ପ୍ରକୃତି ସୁଷମା ଆନନ୍ଦ ସହିତ
କର୍ମକୁ ଉତ୍ସାହ ଜୁଟେ ।

ଜଗତ ଜନନୀ ଆଗମନୀ ବାର୍ତ୍ତା
ଅଶିଣ ଆଣିଛି ସତ,
ସବୁଜ କେଦାରେ ଆଶାର ଫସଲ
କୃଷକ ସୁଖକୁ ହିତ ।

ଜହ୍ନିଫୁଲ ଫୁଟି ଜହ୍ନର ସ୍ବାଗତ
କୁମାରୀ ମନର ଆଶା,
ଗହନ କାନନ ନିରବ ଭିତରୁ
ଶୁଭୁଛି ଝିଙ୍କାରୀ ଭାଷା !

କୁଳୁ କୁଳୁ ନାଦ ସ୍ବଚ୍ଛ ନିର୍ଝରିଣୀ
ଗମ୍ଭୀର ସହଜ ଗତି,
ଅଳି ଗୁଞ୍ଜନରେ ପୁଷ୍ପ ସମ୍ଭାଷଣ
ଅନେକ ସରାଗ ପ୍ରୀତି ।

ମରାଳ ମରାଳୀ ସଲିଳ କ୍ରୀଡ଼ାରେ
ଖୁସିରେ ଅଛନ୍ତି ଆଗେ,
ଅଶିଣ ଉତ୍ସବ ଜଗତ ସ୍ରଷ୍ଟାଙ୍କ
ବିଧାନ ବିଚିତ୍ର ଲାଗେ ।

~ତାରାପ୍ରସାଦ ଜେନା~


0

This entry was posted in Literature, Short Poems and tagged , , , , , , , , , . Bookmark the permalink.