ପିତୃ ଦିବସ ~ଅଳକା ମହାନ୍ତି~

Pitru Divas by Alka Mohanty

ଦୀର୍ଘ ୨୦ ବର୍ଷ ପରେ ମୋତେ (ଶିବାନୀ ଙ୍କୁ) ମୌକା ମିଳିଛି ନିଜ ଗାଁ କୁ ରଜ ରେ ରହିବାକୁ।  ପ୍ରତିବର୍ଷ ବିଦେଶ ରୁ ଓଡ଼ିଶା ଆସନ୍ତି, ହେଲେ କେବେ ରଜ ରେ ଆସିବାକୁ ସୁଯୋଗ ମିଳିନଥିଲା। ଜୀବନର ଅର୍ଦ୍ଧେକ ସମୟ ସେ ପଶ୍ଚିମ ଭାରତ ରେ କଟାଇ ସାରିଛନ୍ତି। ସେଠାରେ ଜୁନ ମାସ ୧୫ ତାରିଖ କୁ ସ୍କୁଲ କଲେଜ୍ ର ପ୍ରାୟ ଗ୍ରୀଷ୍ମ ଛୁଟି ସରି ଯାଇଥାଏ।ତେଣୁ ଗଲେ ବି ତା ପୂର୍ବରୁ ଫେରିବାକୁ ପଡେ। ଗରମ ରେ ବେଶୀ କୁଆଡେ ବୁଲି ହୋଇ ପାରେ ନାହିଁ ବୋଲି ସେମାନେ ସେଇ ଦୀପାବଳୀ ଛୁଟି ରେ ଯିବାକୁ ପସନ୍ଦ କରନ୍ତି।
ଏ ବର୍ଷ କରୋନା ର ପ୍ରଥମ ଲକ୍ ଡାଉନ୍ କୋହଳ ହେବା ପରେ ଗାଁ କୁ ଆସି ପୁଣି ଦ୍ୱିତୀୟ ଲକ୍ ଡାଉନ୍ ରେ ଫସିବା ଯୋଗୁଁ ଗାଁ ରେ ରହିବାକୁ ପଡ଼ିଛି। କାମ ତ ସବୁ ଘରୁ ଅନଲାଇନ୍ ଚାଲିଛି। ତେଣୁ ମୁମ୍ୱାଇ ଆସିବାକୁ ଦରକାର ପଡ଼ୁନି। ମାଆ, ବାପା ଓ ପିଲା ସମସ୍ତେ ଏ ବର୍ଷ ଗାଁ ର ଶୀତ, ବସନ୍ତ, ଗ୍ରୀଷ୍ମ ସହିତ ମୌସୁମୀ କୁ ବି ଖୁବ୍ ପାଖରେ ପାଇଛନ୍ତି। ମୁମ୍ବାଇ ରେ ଗୋଟିଏ ଫ୍ଲାଟ୍ ରେ ଲଟକି କି ରହିବା ଅପେକ୍ଷା ଏଇଠି ଟିକେ କାହାକୁ ଦେଖୁଛନ୍ତି, ଦୂରରୁ ହେଲେ ବି ଆତ୍ମୀୟ ସ୍ୱଜନ ଙ୍କ ସହିତ କଥା ହେଉଛନ୍ତି। ନିଜ ବାଡି ବଗିଚା, ନଈ ବନ୍ଧ ଆଡେ ବୁଲି ମନ ପରିବର୍ତ୍ତନ କରି ହେଉଛି। ବାପା ମାଆ, ଦୁଇ ଭାଇ ଭାଉଜ ଆଉ ତାଙ୍କ ପିଲାମାନେ ଗାଁ (ଜଗତସିଂହ ପୁର ପାଖରେ)ରେ ରୁ ରୁହନ୍ତି। ଆଉ ଦୁଇ ଭାଇ ତାଙ୍କ ପିଲାମାନଙ୍କୁ ନେଇ ଜଣେ କଟକ ଆଉ ଜଣେ ଭୁବନେଶ୍ବର ରେ ରୁହନ୍ତି। ସେମାନେ ବି ପ୍ରତ୍ୟେକ ଛୁଟି ରେ ନିଜ ନିଜ ଗାଡ଼ି ଧରି ପିଲାମାନଙ୍କ ସହିତ ଆସି କିଛି ଦିନ କଟାଇ ଫେରି ଯାଆନ୍ତି। ଏଥର ମୁଁ ଅଛି ବୋଲି ସବୁ ଭାଇ ମାନେ ବି ରଜ ରେ ଅଛନ୍ତି। ମୋତେ ଛାଡ଼ି ବାପାଙ୍କର ସବୁ ଲୋକ ଓଡ଼ିଶାର ଆଖ ପାଖରେ ଥାନ୍ତି। ତେଣୁ ସେମାନଙ୍କ ର ଯିବା ଆସିବା, ମିଳାମିଶା ଚାଲିଥାଏ। ଏବେ କାରୋନା ଯୋଗୁଁ ଟିକେ କମ।ହେଲେ ଆମ ସବୁ ଭାଇ ଭଉଣୀ ଆଉ ପିଲାମାନେ ମିଶିବା ପରେ ବାପା ବୋଉଙ୍କର ୨୫ ରୁ ଉର୍ଦ୍ଧ ଲୋକ ଘରେ ହୋ ହାଲ୍ଲା କରୁଛନ୍ତି। ବାପା ବୋଉଙ୍କ ଆଖିରେ ନିଦ ନାହିଁ କି ପେଟରେ ଭୋକ ନାହିଁ।ବାସ ଖାଲି ଚାଲିଛି ପଚରା ଉଚରା, କିଏ ଖାଇଲା କି ନାହିଁ, ଠିକ୍ ରେ ଶୋଇଲା କି ନାହିଁ। ଏବେ ବାପା ଓ ଭାଇ ମାନେ ମିଶି ଆମର ପୁରୁଣା ଘର ଡିହ ଛାଡ଼ି ନୂଆ ଜାଗାରେ ଦଶ ବଖରା ଘର କରିଛନ୍ତି। ପାଞ୍ଚଟା ରୁମ୍ ରେ ଏ.ସି ଲଗାଇ, ଆଧୁନିକତା ରେ ଭରା ସମସ୍ତ ଆସବବପତ୍ର ମଧ୍ୟ ହୋଇ ସାରିଛି।ଆମେ ଗଲେ କିଛି ଅସୁବିଧା ହୁଏନି , ବରଂ ଶୁଦ୍ଧ ପାଣି ପବନ ସହିତ ପରିବାର ର ଆତ୍ମୀୟତା ଭିତରେ ନିଜକୁ ପୁନରୁଦ୍ଧାର କଲା ପରି ଲାଗେ।

ପହିଲି ରଜ ଦିନ ଠାରୁ ଆମେ ଆମ ପିଲା ବେଳେ, ରଜ ହେଂଶ ରେ ସବୁ ଝିଅ ମିଶି ଏକାଠି ଖାଇବା, ପିଇବା, ଘର ଘର ବୁଲି ପୋଡ଼ ପିଠା ,ପାନ, ମୁଢ଼ି , ଆମ୍ବ, ପଣସ ଖାଇବା, ଦୋଳି ଖେଳିବା, ଚପଲ ପିନ୍ଧି ଚଳପ୍ରଚଳ ହେବା, ଭୂମି ଉପରେ ପାଦ ନରଖିବା,ଚନ୍ଦନ ,ସିନ୍ଦୂର, ଅଳତା ଲଗାଇବା, ବିଭିନ୍ନ ପ୍ରକାର କେଶ ବିନ୍ୟାସ କରିବା, ସାଙ୍ଗ ସରିଶା ହୋଇ ଗାଁ ଗାଁ ବୁଲିବା ଏସବୁ ପ୍ରଥା ଥିଲା।ଏସବୁ ପ୍ରାୟ ଲୋପ ପାଇ ଆସିଲାଣି, ହେଲେ ଲୋକେ ଟିକେ ଅତ୍ୟାଧୁନିକ ଭାବେ ରଜ ପର୍ବ ପାଳନ କରୁଛନ୍ତି।ଆମର ସେ ଚୁଲି ଅଛି ଆଉ ଗ୍ୟାସ ରେ ମଧ୍ୟ ରୋଷେଇ ହେଉଛି। ୨୫ ଜଣଙ୍କ ପାଇଁ ସବୁ ଭାଉଜ ମାନେ ମିଶି ବୋଉ ର ତତ୍ବାବଧାନରେ ସବୁ କରି ଚାଲିଛନ୍ତି। ମୋର ବୋଧ ହୁଏ ପିଲାଙ୍କ ସହ ତାସ, ଲୁଡୁ ଖେଳିବା, ବୋଉ ବାପା, ଭାଉଜଙ୍କ ସହ ଗପିବା, ସାହି ପଡିଶା ବୁଲିବା ଛଡା କିଛି କାମ ନଥାଏ। ଏଇ ତ ଝିଅ ମାନଙ୍କର ମଜା। ହେଲେ ମୋ ଭାଇ ମନେ ଆଉ ଝିଆରୀ ପୁତୁରା ଙ୍କୁ ମୋ ହାତର କିଛି ଆଇଟମ ଖାଇବାକୁ ଭଲ ଲାଗେ, ତେଣୁ ମୁଁ ମନେ ନିଜକୁ ମାଷ୍ଟର ସେଫ୍ ଭାବି କିଛି କିଛି ଚାଇନିଜ୍, କନଟିନେଣ୍ଟାଲ ବାନାଇ ଦେଉଥାଏ ମଝିରେ ମଝିରେ।। ଆମେ ସିନା ମହାବାତ୍ୟା ପରେ ପୁରୁଣା ଘର ଭାଙ୍ଗି ଯିବାରୁ, ନୂଆ ଜାଗାରେ ବଡ଼ ଘର ଟିଏ କରି ଉଠି ଅସିଛୁ ଗାଁ ମୁଣ୍ଡକୁ, ହେଲେ ଆମ ଦାଦା ଖୁଡି, ସାହି ପଡିଶା ସେମିତି ସେଇ ପୁରୁଣା ଜାଗାରେ ଅଛନ୍ତି। ପରମ୍ପରା ଅନୁସାରେ ବୋଉ କହିଲା।
— ଯାଅ ତୁମେ ସବୁ ଝିଅମାନେ ସାହି ବୁଲି ପଳେଇ ଆସ।ସେଠାରେ ଦାଦା ଘର ଆମ୍ଭ ଗଛରେ ବାଉଁଶ ଦୋଳି, ଆଉ ସେ ବଳିଆ ଭାଇ ଘରେ କତା ଦଉଡିରେ ପଟା ଲଗାଇ ଦୋଳି ଲାଗିଛି। ଖେଳି କି ଆସିବ।
— ହଉ ବୋଉ, ମୁଁ ଆଉ ମୋର ସବୁ ଝିଆରୀ ମାନଙ୍କୁ ନେଇ ଯିବି।ହେଲେ ସାନ ଭାଇ ର ଏ ସାନ ଟୋକା ତ ଛାଡ଼ିବନି।ତାକୁ ବି ନେଇ ଯିବି।
ଏତକ କହି ମୁଁ ଆଉ ପିଲାମାନେ ସଜବାଜ ହୋଇ ବାହାରି ଗଲୁ। ସାଥିରେ ମୋ ଝିଅ ବି ଯାଇଥାଏ।
ପାଞ୍ଚ ଦଶ ମିନିଟରେ ପହଚିଯିବାର ବାଟ। ପହଞ୍ଚିବା ପରେ ସାହି ପଡ଼ିଶାରେ ଅନେକ ଖୁସି। ମୋତେ ଏତେ ଦିନ ପରେ ଦାଦା, ଖୁଡି, ଭାଇ, ଭଉଣୀ ଓ ସମ୍ପର୍କୀୟ ମାନେ ଦେଖି ଅନେକ ଖୁସି ହେଉ ଥାନ୍ତି। ମୁଁ ପିଲାଦିନ ର ହଜିଲା ସ୍ମୃତି କୁ ସାଉଁଟି ବାକୁ ଆମ ପୁରୁଣା ଘର ଡିହ କୁ ଚାଲି ଆସିଲି । ଦେଖିଲି, ନା ସେ ଚାରିପାଖ ଘର ବେଢ଼ା ମାଟି ଅଗଣା ଅଛି ନା ସେ ମାଟି ପିଣ୍ଡା। ଯେଉଁଠି ବସି ଖାଇବା, ପିଇବା, ଗୋଟେ ଚଟେଇ ବା ସପ ପକାଇ ବସି ପାଠ ପଢା, ଭାଗବତ ପଢ଼ା, କଉଡ଼ି, ତାସ, ଲୁଡୁ, କାଚ, କନିଆର ମଞ୍ଚି, ତେନ୍ତୁଁଳି ମଞ୍ଜି, କାଚ ଗୁଲି, ମାଟି ଗୁଲି, କେତେ କଣ କାମ ଆଉ ଖେଳ ହୁଏ। ସେ ବାରଣ୍ଡା ନୁହେଁ ଯେ ମଲଟି ପର୍ପୋଷ ଲବି। ଅଗଣା ବି ବର୍ଷା ଦିନ ଛାଡ଼ି ଦେଲେ ଅନେକ କାର୍ଯ୍ୟରେ ବ୍ୟବହାର ହୁଏ। ଦାଣ୍ଡ ଟା ଆମର ଗାଈ ଗୋରୁ, ବନ୍ଧା ହୁଅନ୍ତି ଆଉ ଆମେ ବୋହୁଚୋରି, ଚୋର ପୁଲିସ, ବିଛୁ, ପୁଚି, ଦୌଡିଦିଆଁ, ବୋହୂ ବୋହୁକା,ଏମିତି ଅନେକ ଖେଳ ଖେଳୁ। ଝିଅ ସୋନୁ ମୋ ପଛେ ପଛେ ରହିଥାଏ। ତାର ବି ଅନେକ କଥା ଜାଣିବାର ଇଚ୍ଛା ଥାଏ ଗାଁ ବିଷୟରେ। ମୁଁ ତାକୁ କହି ଚାଲିଥାଏ,ବୋଉ କୋଉଠି ରୋଷେଇ କରୁଥିଲା, ବାପାଙ୍କ ଆରାମ ଚେୟାର କୋଉଠି ପଡ଼ିଥାଏ। ସବୁକିଛି।ଅଗଣା କୂଅ ଏବେ ପୋତି ହୋଇ ପଡ଼ିଛି। ତା ପାଖକୁ, ସଜନା ଗଛ, ବେଲ ଗଛ, କମଳା ଗଛ, ଆତ ଗଛ,ନଡ଼ିଆ ଗଛ, ଚାକୁଣ୍ଡା ଗଛ। ବାକ୍ସ (କ୍ରୋଟନ) ଗଛ, କାଗଜ ଫୁଲ ଗଛ, ମଲ୍ଲି ଗଛ ସବୁ ମାନସ ପଟରେ ଦୃଶ୍ୟ ମାନ ହେଲେ ସୁଦ୍ଧା ସବୁ ବାସ୍ତବରେ ଲୋପ ପାଇଛି। କୂଅ ମୂଳ ପକ୍କା ପଲସ୍ତରା ଟିକକରେ ବସି ମାଆ, ଖୁଡି, ଭଉଣୀଙ୍କ ଗପର ଆସର ଚଳଚ୍ଚିତ୍ର ପରି ଝଲସି ଯାଉଛି। ହଠାତ୍ ଝିଅ ମୋତେ ପଛରୁ ଡାକି କହିଲା,
–ମାମା, ୟେ କଣ?? (ହାତରେ ତାର ଗୋଟେ ଛୋଟ ଧଳା କଉଡ଼ି)
— ସୋନୁ,ସେ ଛୋଟ କଉଡ଼ି । ମୋର ମନେ ପଡୁଛି।ଦାଣ୍ଡ ଘର କାନ୍ଥରେ ଆମର ଷଠି ଘର କରା ହୋଇ ଥିଲା।ସେଥିରେ କଉଡ଼ି ସବୁ ଲାଗିଥାଏ ମଝି ଦୁଇ କଉଡ଼ି କୁ ମୁଁ ଦେଖି ଭାବେ ସତରେ ୟେ ଷଠି ମା ଙ୍କ ଆଖି।ବୋଉ କହେ, ଷଠି ମା ଆୟୁଷ ଦିଅନ୍ତି।
ଆଉ ଆମ ଦାଦା, ଭାଇ ଭଉଣୀ ଙ୍କ ବାହାଘର ରେ ବେଦୀ ରେ କଉଡ଼ି ପୋତା ହୁଏ। ହୋଇଥିବ,ସେହି କୌଡ଼ିରୁ ଗୋଟିଏ। ଦେ ମୋତେ!
— ମାମା ମୁଁ ରଖିବି। ଅଜାଙ୍କ ଘର ସ୍ମୃତି।
— ହଉ ରଖ।
— ମାମା, ଦେଖ। କେତେ ଛିଣ୍ଡା ଚପଲ ସବୁ ମାଟି ଭିତରୁ ଦେଖା ଯାଉଛି। ପ୍ଲାଷ୍ଟିକ ର ବୋଲି ସେ ମିଳାଇ ଯାଇବି ପାରୁନି ମାଟିରେ। ଏଗୁଡ଼ିକ biodegradable ନୁହେଁ ନା। ସେଥିପାଇଁ ରଙ୍ଗ ନଥିଲେ ବି ସେମିତି ମାଟିରେ ପୋତି ହୋଇ ରହିଛି।
— ହଁ ସତ। ମୁଁ ଗୋଟେ ଅଜଣା ଭୟରେ ଥରିଗଲି ଯେମିତି। ସେ ବର୍ଷ ବି ରଜ ଥାଏ। ବଡ଼ ଭଉଣୀ ମାନଙ୍କ ର ଚପଲ ସବୁ ଥାଏ। ମୁଁ ଛୋଟିଆ ଝିଅଟେ ଥିଲି। ମୋର ଚପଲ କେବେ ଛିଣ୍ଡି ଗଲେ ଆଣିବାକୁ ଅନେକ ଦିନ ଲାଗେ।କଟକ ନ ହେଲେ ଜତସିଂହପୁର। କିଏ ଯିବ,କିଏ ଆଣିବ। ଆମର ରଜରେ ପାଦ ତଳେ ପକାନ୍ତି ନାହିଁ। ମୋର ସେ ବର୍ଷ ଚପଲ ନଥାଏ। ବହୁତ୍ ମନ ଦୁଃଖ ମୋର ହେଉଥାଏ। ନଜର ପଡିଲା,ଖୁଡିଙ୍କର ପ୍ଲାଷ୍ଟିକ ଚପଲ ହଳ ଟେ ଆଲଣା ଗୋଡ଼ ପାଖ ଦୁଇ ପଟା କୁ ସଂଯୋଗ କରି ରଖା ହୋଇଛି। ସେ ସେଇ ପ୍ଲାଷ୍ଟିକ ର,ତାକୁ ନ କାଟିଲେ ସେ କେବେ ଛିଣ୍ଡିବନି। ଚମ୍ପା ରଙ୍ଗର। ଟିକେ ହାଇ ହିଲ୍ ଥାଏ।ହେଲେ ମୋର ଛୋଟ ପାଦ ତା ମଝିରେ ରହି ପଛକୁ ଚାରି ଆଙ୍ଗୁଳି ରହିଥାଏ। କୌତୁହଳ ବଶତ,ନିଜ ଖୁଡିଙ୍କର ତ ଅଛି କହି ନ ପଚାରି ଗୋଡ଼ରେ ଗଳାଇ ଦେଇଥିଲି। ପାଞ୍ଚ ମିନଟରେ ଖୁଡି ରୋଷେଇ ଘରୁ ଆସି ଦେଖି ଦେଲେ। ଆଖିରୁ ତାଙ୍କର ଅଗ୍ନି ସ୍ଫୁରଣ ହେଉଥିଲା।ଶକ୍ତ ଚାପୁଡ଼ା ଦେଇ କହିଲେ,” ଜଲଦି ଓଲ୍ହା”. ମୁଁ ଜଲଦି ଯାଇ ଯେଉଁଠି ଥିଲା ସେଇଠି ରଖିଦେଲି, ଦାଦା ଦେଖିଥାନ୍ତି। କିଛି ବି ସେ କହିଲେନି। ମୁଁ କାନ୍ଦି କି ପଳେଇ ଆସିଲି। ଡର ରେ ବୋଉ କୁ କି ବାପା ଙ୍କୁ କହିଲିନି। ପଇସା ପାଇଁ ନୁହେଁ, ହେଲେ ଗାଁ ରେ ଛୋଟ ପିଲାଙ୍କ ମାନସ୍ତ୍ଵତ୍ ବୁଝି ପାରନ୍ତି ନାହିଁ । ଭାବନ୍ତି ,ପିଲାଟେ ,ତାର କଣ ହେବ, ବଡ଼ ହେଲେ ପିନ୍ଧିବ। ସେ ବର୍ଷ ରଜ ସେମିତି ବିନା ଚପଲ ରେ ଚାଲିଗଲା। ତାପର ବର୍ଷ ରଜ ଦି ଦିନ ଆଗରୁ ଦାଦା ଆସିଲେ,ମୋ ପାଇଁ୨.୫୦ ପଇସା ରେ କଳା ଛିଟ ର ପ୍ଲାଷ୍ଟିକ ଚପଲ ଆଣିଥିଲେ। ଏବେ ଭାବେ। ୟେ ବାପା ଆଉ ଦାଦା କିଛି କହାନ୍ତିନି। ହେଲେ ସବୁ ଅଭାବ ପୁରା କରି ଦିଅନ୍ତି) ପ୍ରକୃତିସ୍ଥ ହେଲି।ହେଲେ ଏବେ ବି ଲାଗିଲା ,ଯେମିତି ଖୁଡିଙ୍କ ସେ ରାଗ ଆଖିରୁ ଅଗ୍ନି ବର୍ଷୁଛି।

— ମାମା ,ତୁମେ କାନ୍ଦୁଛ??
— ହଁ ମା ,ଦିନ ଯାଏ,ଚିହ୍ନ ରହେ। ଅନେକ ମଧୁର ସ୍ମୃତି ରେ ଭରା ୟେ ଘର ଅଗଣା । ମାଆ କହେ ୟେ ଘରେ ମେଘନାଦ ପାଚେରୀ ଦରକାର। ସବୁବେଳେ ତ ଘୋ ଘୋ ଶୁଭୁଚି। କର୍ପୁର ଉଡ଼ି ଯାଇଛି। ହେଲେ କନା ପଡି ରହିଛି।

ସାହି ବୁଲା ସାରି ଘରକୁ ଫେରିଲୁ। ଘରେ ବାପା ମାଂସ ଆଣି ୨୫ ଲୋକଙ୍କ ପାଇଁ ବୋଉ କୁ କହି ରାନ୍ଧି ସାରିଲେଣି। ପିଲାମାନେ ଖାଇବା ପରେ ଆମେ ଖାଉ।ବାପା ବି ଆଗ ଖାଇବେନି। ଖାଲି ବୁଲି ବୁଲି ଦେଖି ଚଳୁଥିଲେ କିଏ ଖାଇଲା କି ନାହିଁ। କିଏ କୋଉଠି ଶୋଇଲା। ପାଞ୍ଚଟା ଏ ସି। ହେଲେ ସେ ଶୋଇବେ ବାହାର ଘରେ। କହିବେ ,ଏଇଠି ବଢିଆ ଥଣ୍ତା ପବନ ହେଉଛି। ବୋଉ ନାତି ନାତୁଣୀ ଙ୍କୁ କୋଳରେ ଧରି କୋଉ ଘରେ ଆସି ଶୋଇ ବ ସିନା। ହେଲେ ବାପା,କୋଉଠି ମଶାରୀ ବନ୍ଧା ହେଲା କି ନା,କାହାର ବିଛଣା ଠିକ୍ ସେ ହେଲା କି ନା ଏ ସବୁ ବୁଲି ଦେଖି ଆନନ୍ଦ ପାଆନ୍ତି। ପୁଅ ମାନେ ଆସି ଶାଠିଏ କୁ ଧକା ଖାଇଲେଣି ,ହେଲେ ବାପା ଭାବନ୍ତି ଏମାନେ କିଛି କରି ପାରିବେନି। ସବୁ ଦାୟିତ୍ଵ ତାଙ୍କର।

ରଜ ସରିଲା ।ଆଜି ପିତୃ ଦିବସ। ରବିବାର ଅଛି। ଆଜି ମୁଁ ଭାଇ ଦିଜଣ ବାହାରିଲୁ ଆସିବାକୁ। ଟିକେ lock-down କୋହଳ ହୋଇଛି। ମୁଁ ଭୁନେଶ୍ବରର ଭାଇ ସହିତ ଆସି ,ସେଇଠୁ ମୁମ୍ୱାଇ ଆସିବି। ଦେଖିଲୁ,ସମସ୍ତଙ୍କ ପାଇଁ,କଦଳୀ,ସାରୁ,ଚୁଡ଼ା,ଚାଉଳ,ନଡ଼ିଆ,ଲଡୁ, ମିଠା,ଘିଅ,ବଡି,ନୂଆ କପଡ଼ା ଆହୁରି ଅନେକ ଜିନିଷ କୁ ଅଲଗା ଅଲଗା ପ୍ୟାକେଟ କରି ବାପା ଥୋଉଛନ୍ତି। ଆଶ୍ଚର୍ଯ୍ୟ ହୋଇ ଗଲୁ ସବୁ। କେତେ ବେଳେ ବାପା ୟେ ସବୁ କରି ପକାଉଛନ୍ତି ଏ ବୟସରେ। ଭାଇ ମୁଁ ସବୁ ଆସିଲା ବେଳେ କୋହ ସମ୍ଭାଳି ପାରୁ ନଥିଲୁ। ସତରେ ,ଆମେ ଜାଣିଛୁ ,ଈଶ୍ଵର ଆମର ପିତା ମାତା। ହେଲେ ସେ ତ ନିରାକାର। ତେଣୁ ଶରୀର ଟିଏ ଲୋଡ଼ନ୍ତି ଆମର ରକ୍ଷଣା ବେକ୍ଷଣ ପାଇଁ। ସେ ଶରୀର ଧାରୀ ହେଲେ ଆମର ପିତା ମାତା। ତାଙ୍କ ର ସ୍ନେହ , ଶ୍ରଦ୍ଧା,ତ୍ୟାଗ ଆଉ ଅଦ୍ୟମ ପ୍ରଚେଷ୍ଟା ର ଫଳ ଆମେ ସବୁ। ଆଜି ପିତୃ ଦିବସ ରେ ସେ ଭଗବାନ ଙ୍କୁ ମୋର ଶତ ଶତ ନମନ।

 

~ ଅଳକା ମହାନ୍ତି ~

ନଭି ମୁମ୍ବାଇ


0

This entry was posted in Literature, Short Stories and tagged , , , , , , , , , , . Bookmark the permalink.

6 Responses to ପିତୃ ଦିବସ ~ଅଳକା ମହାନ୍ତି~