ବାହୁଡ଼ିବା ବେଳ ~ ଅଳକା ମହାନ୍ତି ~

Bahudiba bela by Alka Mohanty

ମାଆ କୋଳେ, ଏନ୍ତୁଡ଼ି ଶାଳରେ,
ମାଟି କାନ୍ଥରେ ଷଠି ଘର ସବୁ,
କୁନି କୁନି ପାଦ ପଡେ ଦାଣ୍ଡ ଅଗଣାରେ,
ଝୁମୁ ଝୂମୁ ପାଉଁଜି ଶବ୍ଦ ରେ
ମାଆ ବାପା,ଦାଦଖୁଡ଼ି
ଭାଇ ଓ ଭଉଣୀ ସର୍ବେ ସମ୍ମୋହିତ,
କେତେ ସ୍ନେହ କେତେ ଆଶିର୍ବାଦ।

ବାଲିଘର ଗଢୁଥାଇ ସାଙ୍ଗସାଥୀ ମେଳେ
ଅ ଆ କ ଖ ଠାରୁ ବିଶ୍ୱ ବିଦ୍ୟାଳୟ
ଗାଁ ଦାଣ୍ଡେ ଖାଲି ପାଦେ ବର୍ଷା ଓ ବସନ୍ତେ
ଚପଲ ରୁ ସୂଟ ବୁଟ ଯାଏ।
ଶଗଡ଼ ରୁ ବ୍ୟୋମୋ ଯାନ ଯାଏ
ଜଣା ରୁ ଅଜଣା ଆଉ ନିଜ ଠାରୁ ପର
କେତେ କିଏ ଆସିଗଲେ ପରିଧି ରେ ମୋର।

କେବେ ଦୁବ ,ଦ୍ରୁମ ହେଲା ଏ ମହା ଯାତ୍ରା ରେ
କେତେ ଋତୁ କେତେ ବର୍ଷ ପରେ
କିଏ ନେଲେ କେତେ ଆଶ୍ରା ହିସାବ ତ ନାହିଁ
କାଟି ନେଲେ ଶାଖା ଓ ପ୍ରଶାଖା
ବିରାମ ତ ଲଗିନାହିଁ ଆଙ୍କୁରଣ ରେ!
ଅଙ୍କୁରିତ ହୁଏ ପୁଣି ସ୍ବପ୍ନ ଅଭିଳାଷ
କରିବାକୁ ଜନ ମାନବ ର ସେବା।

ହେଲେ, ସମୟ ଚକ୍ରରେ ସର୍ବେ କବଳିତ
ସ୍ବପ୍ନ ର ତ ନାହିଁ ଯେ ଆୟୁଷ,
ଯାଏ ଯିଏ ଫେରେ ନାହିଁ ,ସେହି ତ ସମୟ।
କିଏ ଅଛି କିଏ ହଜିଗଲେ
ଏ ମହା କାଳ ରେ
କିଏ ସ୍ମୃତି ତ କିଏ ବିଲୁପ୍ତ ବେଳ ରେ
ଖୋଜିବାକୁ ନାହିଁ ବେଳ ଏ ବେଲା ଭୂମିରେ
ଆଉ ନାହିଁ ଗଢିବାର ବେଳ
ବୋଧେ ଆସିଗଲା ବହୁଡ଼ିବା ବେଳ !!!!

 

~ ଅଳକା ମହାନ୍ତି ~

ନଭି ମୁମ୍ୱାଇ


0

This entry was posted in Literature, Short Poems and tagged , , , , , , , , , , , . Bookmark the permalink.