ତାଲାବନ୍ଦ ~ ସରିତା ରଥ ~

Short poem in Odia " TALABAND " by Sarita Rath

ରାତି ତିନିଟା କୋଡିଏ
ପ୍ରେମିକ ଅନଲାଇନ !
ପଚାରିଲେ କୁହେ
ମୋତେ ଆଉ ନିଦ ହେଉନିରେ,

ନିଦ୍ରାହୀନତା !
ଝରକା ବାହାରେ ରାସ୍ତା ବି ତ ଭିଡିମୋଡି ହେଉଛି
ଝାଡ଼ି ଝୁଡ଼ି ଦେଉଛି ସାରା ଦିନର ପଦଭାରର କଷ୍ଟ
ପୁଣି ଏକ ସକାଳକୁ ସଜଉଛି ପିଠି

ଅଧା ଅନ୍ଧାରରେ ରାତି ମାପୁଛି ଅମ୍ଳଜାନ
ସୂର୍ଯ୍ୟଙ୍କ ଦପ୍ତରରେ ଏବେଠୁ ଲାଗିଯିବ ଭିଡ
ଭିଟାମିନ ଡି ନିଅଂଟ ପଡିବ
କାହା ଅଭିସଂପାତରେ
ବସୁନି ଆକାଶରେ ଜହ୍ନ ଆଉ ତାରା ପଟୁଆର
ସେମାନେ ବି ରଖିଲେଣି ନିଜଠାରୁ ଆଉ ଅଧିକା ଦୁଇଗଜ ଦୂର
ମଣିଷ ମାନଙ୍କ ପଲକରେ ନିଦ ଆଉ ପକାଇ ପାରୁନି
ତାଲା କି ପହରା
ପୃଥିବୀର ସବୁ କୋଣେ ତାଲାବନ୍ଦ

ହୃଦୟ କହୁଛି ସ୍ପନ୍ଦନକୁ
ହଁ ତୁ ଅଛୁ
ଜୀଇଁଛି,
କାଲି ଇଣ୍ଟରନେଟ ଥିଲେ
ଜାଣିବା ଭୁତାଣୁ ସହ ବା ଭୁତାଣୁ ବିନା
କେତୋଟି ଅଗଣାର ଦୀପ ତାରା ପାଲଟିଲା
କେତେ ଜଣ ନିର୍ବାସିତ ହେଲେ ଘରଠୁ ଦୂରକୁ
କେତେ କିଏ ନିଜକୁ ଶିକୁଳି କିଳିଲେ

ଆହା ,ଏ ନିଦ୍ରାହୀନତା!
ଖାଲି ତୋତେ ନୁହେଁ
ମତେ ବି ଘାରିଛି
ଘାରିଛି ବି ପାହାଡ଼ି ପକ୍ଷୀଙ୍କୁ
ଆତଙ୍କିତ ରାତିମାନେ ଆଉ
ଯାଉନାହାନ୍ତି ରେ
ସ୍ବପ୍ନଙ୍କ ଚୁମ୍ବନ ଖେଳକୁ।

 

~ ସରିତା ରଥ ~


0

This entry was posted in Literature, Short Poems and tagged , , , , , , , , , . Bookmark the permalink.