ଏକାକିନୀ ~ ତ୍ରିଭୁବନଜିତ୍ ମୁଖାର୍ଜୀ ~

Ekakini by Tribhubanjit Mukherjee

ସନ୍ଧ୍ୟା ପାର ହେଇ ରାତି ହେଲା l ଘଡ଼ିକୁ ଅନେଇଲି 8 ଟା ବାଜିବ l ଦୂରରୁ ଦେଖିଲି ବସ୍ ଷ୍ଟାଣ୍ଡରେ କେହି ଦେଖା ଯାଉନାହାନ୍ତି l ମନେ ମନେ ଭାବିଲି ବସ୍ ପାଇବି ତ ! ପାଖରେ ପହଞ୍ଚିବାରୁ ଦେଖିଲି ଜଣେ ମହିଳା ଏକୁଟିଆ କଂକ୍ରିଟ ବେଞ୍ଚରେ ବସିଛନ୍ତି l ଓଢ଼ଣାରେ ମୁହଁ ଦେଖା ଯାଉନାହିଁ l ସୁତି ଲୁଗାଟିଏ ପିନ୍ଧିଛନ୍ତି l
ବିଚରା ଗରୀବ ଘରର ବୋହୂଟିଏ ହେଇଥିବେ l ଏଠି ନିଚ୍ଛାଟିଆରେ ଏକାକିନୀ ନାରୀ କୁ ଦେଖି ଭାବିଲି ଯଦି କିଛି ଉପକାର କରି ପାରେ !
– ପଚାରିଲି ମା କୋଉଠିକୁ ଯିବେ କି?
– ହଁ
– କୋଉଠିକୁ?
– କହିଲେ ବସ ଯେଉଁଠିକୁ ଯିବ ସେତିକି ବାଟ ଯିବି l
– ଏତେ ବାଟ ରାତିରେ ଏକା ଯିବେ ?
– ହଁ ଯିବାକୁ ହବ l
– କିନ୍ତୁ ଅପଣଙ୍କ ସାଙ୍ଗରେ ତ କେହି ନାହାନ୍ତି l
– ନାଁ ନାହିଁ l ମୋର କେହି ନାହାନ୍ତି l ଏ କଥା କହି ମହିଳା ଟି କାନ୍ଦିବାକୁ ଲାଗିଲା l
– ମୁଁ ତାଙ୍କୁ ବୁଝେଇବାକୁ ଚେଷ୍ଟା କଲି କିନ୍ତୁ ବୃଥା l ସେ ଆହୁରି ଜୋର ରେ କାନ୍ଦିବାକୁ ଲାଗିଲା l
ଏଠି କହି ରଖେ, ମୋର ଏଇ ଯାଗାରେ କିଛି ଅଫିସ କାମ ଥିଲା l ସେଇ ସୂତ୍ରରେ ଏଠିକି ଆସିବା କଥାl ବସ୍ ଷ୍ଟାଣ୍ଡରେ ଆସି ଦେଖିଲି ବସ୍ ନାହିଁ l ଫେରୁ ଫେରୁ ରାତି ହବ l ବହୁତ ବାଟ ବସ୍ ରେ ଯିବାକୁ ହେବ l ଏମିତି ଚିନ୍ତା କରୁଥିଲି l
ମହିଳା ଟି କଣ ଚିନ୍ତା କରୁଥିଲା କେଜାଣି, ମନେ ମନେ କିଛି କହୁଥିଲା ପରି ମନେ ହେଉଛି….
(ନେପଥ୍ୟରେ)
-ବୋହୁ ତୋର ରୋଷେଇ ସରିଲା?
– ହଁ ମା ସରି ଗଲାଣି l
– ତେବେ ମୋତେ ଖାଇବାକୁ ଦଉନୁ କାହିଁକି?
– ଦୋଉଛି ମା… ଏବେ ଦୋଉଛି ମା… ଏହା କହି ଭାତ ହାଣ୍ଡିରୁ ପଖାଳ ଢାଳି କଂସା ରେ ରଖିଲା ସାଙ୍ଗରେ କଞ୍ଚା ଲଙ୍କା, ପିଆଜ, ଶାଗ ଭଜା ଦେଇ ଶାଶୁ କୁ ବଢ଼େଇ ଦେଲା
– ବୋହୁ ଆଜି ଗରମ୍ ଭାତ କରିନୁ?
– ଗରମ ଭାତ କଣ ଦେଇ ଖାଇବାକୁ ଦେଵି ମା, ଘରେ ତ କିଛି ପରିବା, ଡାଲି ନାହିଁ l କଣ ରାନ୍ଧି ଥାନ୍ତି ?
– କେମିତି ରହିବ ? ଗୋଟିଏ ପୁଅ ରୋଜଗାର କରି ଆଣିବ ଏଣେ ଖାଇବା ଲୋକ ତିନି l କେତେ ପଇସା ରୋଜଗାର କରିବ? ତୋ ବାପ ଘରୁ ତ କିଛି ଆଣିନୁ ! ଟଙ୍କାଟିଏ ଭି ଦେଲେନାହିଁ ତୋ ବାପ ଘରୁ l ବେପାର ବାଣିଜ୍ୟ କରି ଯେ ପିଲାଟା କିଛି ଅଧିକା ରୋଜଗାର କରିବ l ସେଇ ବାଟ ବି ବନ୍ଦ୍ l ଏଇ କେଇଟା ଟଙ୍କାରେ ସିଏ ତୋତେ ଆଉ ମୋତେ ପୋଷିବ କେମିତି? କଣ କରିବ ମୋ ପୁଅ?
– ମୁଁ ତ କିଛି କାମ କଲେ କିଛି ଅଧିକ ରୋଜଗାର ହୁଅନ୍ତା କିନ୍ତୁ ଆପଣ ଏବଂ ଆପଣଙ୍କ ପୁଅ ମନା କଲେ l ମୋର ଭାଇ ଯାହା ରୋଜଗାର କରେ ମୋ ମା ଏବଂ ତାକୁ……
– ଥାଉ ଥାଉ ଆଉ କିଛି କହିବା ଦରକାର ନାହିଁ l ସବୁ ଜାଣିଛି l ସବୁ ମୋର ଭାଗ୍ୟ l ଆମ ଘରର ଝିଅ ବୋହୁ ବାହାରକୁ ଯାଆନ୍ତି ନାହିଁ l
– ମୁଁ ତେବେ କଣ କରିବି ମା? ମୋର କଣ ଦୋଷ ମା?
– ନାଁ ନାଁ ତୋର କିଛି ଦୋଷ ନାହିଁ… ସବୁ ଆମର ଫଟା କପାଳର ଦୋଷ l
– ପ୍ରତି ଦିନ ବାପ ଘର ଲୋକଙ୍କର ବଦନାମ …. ଏବଂ ଯୌତୁକ ଆଣିବାକୁ ବାଧ୍ୟ କରାଯ଼ିବା ଭଳି ପରିସ୍ଥିତିରେ ମୁଁ କଣ ବା କରିବି ? ପ୍ରତିଦିନ ଆପଣଙ୍କ ପୁଅ ରାତିରେ ମୋ ଉପରେ ଶାରୀରିକ ଅତ୍ୟାଚାର କରନ୍ତି ଆପଣ ଜାଣନ୍ତି l ମୁଁ ପଥର ପାଲଟି ଯାଉଛି l ମୁଁ କଣ ବା କରିବି ଏଇ ପରିସ୍ଥିତି ରେ?

ଘର ଛାଡ଼ି ପଳେଇବି ନା ଆତ୍ମହତ୍ୟା କରିବି ?
ସେଥିପାଇଁ ଆଜି ବାହାରି ପଡିଲି ଘର ଛାଡ଼ି ବାପ ଘର ଯିବା ପାଇଁ !! ସେ ଆସୁ ଆସୁ ରାତି ନଅଟା ତେଣୁ ତା ଆଗରୁ ବାହାରି ପଡିଲି l ସେ ଫେରିଲା ବେଳକୁ ମୁଁ ଘରେ ନଥିବି……..
– ଆପଣ କାହାକୁ କିଛି ନ କହି ଚାଲିଯିବେ? ଅପଣଙ୍କ ସ୍ୱାମୀ ଆପଣଙ୍କୁ ଖୋଜା ଖୋଜି ଆରମ୍ଭ କରିଦେବେ l ଆପଣ ସେତେ ବେଳେ କଣ କରିବେ?
ମୋ କଥାରେ ମହିଳାଟି କଣ ଭାବୁଥିଲେ କେ ଜାଣି ତାଙ୍କ ଭାବନାରେ ପୂର୍ଣ୍ଣଛେଦ ପଡିଲା l
ସେ ଟିକେ ଚମକି ପଡିଲେ…….
****
ହଁ ହଁ….. ନା ନା….. କେହି ଖୋଜିବେ ନାହିଁ ମୋତେ l ସେମାନେ ଚାହାନ୍ତି ମୁଁ ଘର ଛାଡ଼ି ଚାଲି ଯାଏ l ମୋ ସ୍ୱାମୀ ଆଉଥରେ ବାହା ହେବେ ଏବଂ ଯୌତୁକ ଆଣିବେ l ମୁଁ ସେଥି ପାଇଁ ଚାଲି ଆସିଲି l
– ଇଏ କଣ? ଏଭଳି କଲେ ଆଇନ୍ ହାତକୁ ନବା ସହ ସମାନ l
– ହଁ ସେମାନେ ଆମ ବାପ ଘରୁ ବହୁତ ଟଙ୍କା ଆଶା କରନ୍ତି l ମୋ ସ୍ୱାମୀ ନିଜେ ଗୋଟିଏ ବ୍ୟବସାୟ କରିବା ପାଇଁ ଇଛୁକ କିନ୍ତୁ ସେଟା ସମ୍ଭବ ନୁହେଁ କାରଣ ମୋ ଭାଇ ଗୋଟେ ଛୋଟ ଚାକିରି କରେ l ସେ କୋଉଠି ପାଇବ ଏତେ ଟଙ୍କା ମୋତେ ଏବଂ ମୋର ମା’କୁ ପୋଷିବ? ମା ବୁଢ଼ୀକୁ ଦେଖୁଛି l ସେଟା ମୋ ପାଇଁ ବହୁତ l ମୋତେ ସେ କୋଉଠି ଦେଖିବ? ତେବେଭି ମୋ ଛୋଟ ଭାଇ ମୋର ବହୁତ ଖିଆଲ ରଖେ l ମୋ ବାପା ତ କିଛି ରଖି ଯାଇ ନାହାନ୍ତି l କୋଉଠୁ ପାଇବ ସେ? ଆଉ ପାରୁ ନି ସେ l
ଗୋଟେ ନି:ଶ୍ୱାସ ରେ ମହିଳା ଟି ସବୁ କହି ଗଲେ l
– ଆପଣ ଯଦି କିଛି ମନେ ନ କରନ୍ତି, ଆପଣ ମୋ ସହ ମୋ ଘରକୁ ଚାଲି ପାରନ୍ତି !
– କାହିଁକି କହିଲେ? ମୁଁ କାହିଁକି ଅପଣଙ୍କ ସହ ଅପଣଙ୍କ ଘରକୁ ଯିବି?
– ମୋର ସ୍ତ୍ରୀ ବହୁତ ଅସୁସ୍ଥ ତାଙ୍କ ପାଇଁ 24 ଘଣ୍ଟାର ଲୋକ ଆବଶ୍ୟକ l ତେଣୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଆପଣ ମୋ ସହ ଗଲେ ଆପଣ ଭଲରେ ରହିବେ, ଗୋଟିଏ ଭଲ ଯାଗାରେ l ମୁଁ ଟୁର୍ ରେ ବାହାରକୁ ସବୁବେଳେ ଯାଉଛି ସେଇ ସମୟରେ ଆପଣ ମୋ ସ୍ତ୍ରୀ ସହ ଘରେ ରହି ତାର ଦେଖା ଶୁଣା କରିବେ l ମୁଁ ତା ପାଇଁ ଆପଣକୁ ଟଙ୍କା ଦେଵି ଏବଂ ଆପଣ ମୋ ଘରେ ମୋ ଘର ଲୋକ ଭଳି ରହିବେ l ଏବେ ଘରେ ଦୁଇଟା ନର୍ସ ଓ ଗୋଟେ ରୋଷଇ କରିବା ପାଇଁ ଲୋକ ଅଛନ୍ତି କିନ୍ତୁ 24 ଘଣ୍ଟା ପାଇଁ କେହି ନାହାନ୍ତି l ମୁଁ ଅପଣଙ୍କ ଘର ଲୋକଙ୍କ ଠାରୁ ଅନୁମତି ନେବି….
– ସ୍ତ୍ରୀ ଲୋକଟି ହସି କହିଲା ଆପଣ ନିହାତି ପିଲା ଲୋକ ଭଳି କଥା କହୁଛନ୍ତି l ଶୁଣୁଛନ୍ତି ସେମାନେ ମୋତେ ମୋ ଘରୁ ଟଙ୍କା ଆଣିବାକୁ କହୁଛନ୍ତି ମୋତେ ନ ହେଲେ ଘରୁ ବାହାର କରି ଦେବେ l ଆପଣଙ୍କ କଥା ଶୁଣିଲେ ଆପଣଙ୍କୁ ପୋଲିସ ହାତରେ ଦେଇ ମୋତେ ଆହୁରି ହଇରାଣ କରିବେ l
– ହଁ ତା ଭି ଠିକ କଥା l ତେବେ ଥାଉ l
– ଶୁଣନ୍ତୁ ଆପଣ ସତ କହୁଛନ୍ତି ନା ନିରୀହ ମହିଳା କୁ ଏକୁଟିଆ ଦେଖି ଏଭଳି ଅବାନ୍ତର କଥା କହୁଛନ୍ତି?
– ମୋତେ ଦେଖିଲେ କଣ ମୁଁ ସେଭଳି ଲୋକ ଭଳି ମନେ ହେଉଛି? ମୁଁ କଣ ଏତେ ବାଜେ ଲୋକ?
– କେମିତି ଜାଣିବି ଆପଣଙ୍କୁ ଦେଖି, ଆପଣ ଭଲ କି ମନ୍ଦ ବୋଲି ? ବହୁତ ଅତ୍ୟାଚାର ସହିଛି ଆଉ ସହି ପାରୁନି l ଆଉ କାହାକୁ ବିଶ୍ୱାସ କରି ପାରୁନି….
– କ୍ଷମା କରିବେ ମୋ କହିବାଟା ଭୁଲ l ସେତିକି କହି ପଛକୁ ଫେରିଲି ଗୋଟେ ସିଗାରେଟ୍ ଟାଣିବା; ପାଇଁ l ଦିଆସିଲି କାଠି ଜଳେଇ ସିଗାରେଟ୍ ଧରି ପଛକୁ ଫେରି ଦେଖେ ମହିଳା ନାହାନ୍ତି l କଣ ହେଲା କୁଆଡେ ଗଲେ ସେ?
ଏଇ ସମୟରେ ମୋ ମୁହଁ ଉପରେ ଗୋଟେ ଜୋର ଲାଇଟ ପଡିଲା l ମୁଁ ବସ୍ ଭାବି ହାତ ଦେଖେଇଲି ରହିବା ପାଇଁ l ହଁ ଠିକ ବସ ଆସି ରହିଲା ମୋ ପାଖରେ l ମୁଁ ବସ୍ କୁ ଉଠି ଟିକଟ ମାଗିଲି, ଟିକଟ ଦେଉ ଦେଉ କଣ୍ଡାକଟର କହିଲେ..
– ଆପଣ ଏଠି ନୂଆ ଆସିଲେ କି?
– ହଁ l କାହିଁକି ଏମିତି କହିଲେ?
– ଜଣେ ମହିଳା କୁ ଦେଖିଲେ କି?
– ହଁ l
– ଏବେ କଣ ଦେଖିଲେ?
– ବସ ଆସିବା ଆଗରୁ ମହିଳା ଜଣକ କୁଆଡେ ଉଭେଇ ଗଲେ !
– ତେବେ ଏଥିରୁ କଣ ବୁଝିଲେ?
– କଣ?
– ବୁଝି ପାରୁ ନାହାନ୍ତି ଆପଣ? ସେ ସ୍ତ୍ରୀ ଲୋକଟି ବଞ୍ଚିଛି ବୋଲି ଭାବୁଛନ୍ତି ଆପଣ?
– ହଁ, ସେପରି ନ ଭାବିବା ପାଇଁ କିଛି କାରଣ ନାହିଁ?
– ସେ ମହିଳା ଗୋଟିଏ ବର୍ଷ ହେଲା ଆର ପାରିକୁ ଗଲାଣି l ବସ ଷ୍ଟାଣ୍ଡ ପଛ ପଟେ ଗୋଟିଏ ଗଛ ରେ ଦଉଡି ଦେଇ ଆତ୍ମହତ୍ୟା କରି ଥିଲା,ବୁଝିଲେ !
– ଏଁ, କିନ୍ତୁ ସେ ମୋ ସାଙ୍ଗରେ ଏତେ ସମୟ କଥା ହେଲେ କେମିତି?
– ଭାଗ୍ୟ ଭଲ ଅପଣଙ୍କର କିଛି ହେଇନି !
– ଏଇଟା କଅଣସତ କଥା?
– ନାଇଁ ମିଛ l ସିଟରେ ବସନ୍ତୁ….. ଯାନ୍ତୁ !!
– ତେବେ କଣ ସେ ସ୍ତ୍ରୀ ଲୋକଟା ଗୋଟେ ଭୂତ?
– ଅପଣଙ୍କର ଏବେ ବି ସନ୍ଦେହ ଅଛି? ପାଖରେ ବସିଥିବା ଲୋକଟି ପଚାରିଲା !!
ମୁଁ ମନେ ମନେ ଭାବିଲି ସତରେ କଣ ଭୂତ ଅଛି…….. !!!!! କେଜାଣି ….. ଆପଣ ଜାଣନ୍ତି…

 

~ ତ୍ରିଭୁବନଜିତ୍ ମୁଖାର୍ଜିୀ ~

ଭୁବନେଶ୍ୱର


1

This entry was posted in Literature, Short Stories and tagged , , , , , , , , , , , , . Bookmark the permalink.